
ବାଲେଶ୍ବର : ସରକାରୀ ସେବା ପ୍ରଦାନରେ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ସୋମବାର ବାଲେଶ୍ବର ଜିଲ୍ଲା ଶିଳ୍ପ କେନ୍ଦ୍ରରେ କାର୍ଯ୍ୟରତ ଆଇପିଓ(ଇଣ୍ଡଷ୍ଟ୍ରି ପ୍ରବେସନ ଅଫିସର) ଆଲୋକ ରଂଜନ ନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ଏମ୍ଏସଏମଇ ବିଭାଗ ଦ୍ବାରା ହିତାଧିକାରୀମାନଙ୍କୁ ପ୍ରତିଦିନ ସରକାରୀ ସୁବିଧା ସହଯୋଗ, କାର୍ଯ୍ୟର ଅଗ୍ରଗତି ଏବଂ ରହିଥିବା ସମସ୍ୟା ଆଦି ସମ୍ପର୍କରେ ଫୋନ୍ ଯୋଗେ ଯୋଗାଯୋଗ କରାଯାଇ ମତାମତ ସଂଗ୍ରହ କରାଯାଉଛି। ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ଜଣେ ହିତାଧିକାରୀ ଏମ୍ଏସଏମ୍ଇ କାର୍ଯ୍ୟକ୍ରମରୁ ରିହାତି ପାଇବା ନେଇ ବହୁ ହଇରାଣ ହରକତର ସାମ୍ନା କରୁଥିବା ବିଭାଗକୁ ଜଣାଇଥିଲେ। ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଶିଳ୍ପ ନିର୍ଦେଶକଙ୍କୁ ଅଭିଯୁକ୍ତ ଆଇପିଓଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ରହିଛି। ନିଲମ୍ବନ ପରେ କଟକ ସଦର ଶିଳ୍ପ ନିର୍ଦ୍ଦେଶାଳୟରେ ତାଙ୍କୁ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜିଲ୍ଲାର ବାହାନଗା ବ୍ଲକରେ କାର୍ଯ୍ୟରତ ଥିବା ସେକ୍ସନ ଅଫିସର ସୁରେନ୍ଦ୍ର ନାଥ ବେହେରାଙ୍କ ବିରୋଧରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କୁ ଆଜି ନିଲମ୍ବନ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଏବଂ ପିସି କାରବାର ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୨୬୦/୧୪.୦୮.୨୦୨୧ରେ ଅଭିଯୁକ୍ତ ସେକ୍ସନ ଅଫିସର ଶ୍ରୀ ବେହେରାଙ୍କୁ ନିଲମ୍ବନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ବାଲେଶ୍ବର ସଦର ବ୍ଲକରେ ଅବସ୍ଥାପିତ କରାଯାଇଥିବା ଜଣାଯାଇଛି
The post ଦୁଇ ଅଧିକାରୀଙ୍କ ବିରୋଧରେ ମୋ ସରକାର ଛାଟ: ହିତାଧିକାରୀଙ୍କୁ ହଇରାଣ ଅଭିଯୋଗରେ ଆଇପିଓ ନିଲମ୍ବିତ first appeared on Sambad.from ଜିଲ୍ଲା | Sambad https://ift.tt/3AHIxSG
0 Comments