
ବରଗଡ଼ : ଇ-କୋର୍ଟ ସେବା ସର୍ବାଧିକ ଲୋକାଭିମୁଖୀ ହେବ। ଓକିଲମାନଙ୍କ ଦ୍ବାରା ହିଁ ଲୋକେ ଏଥିରୁ ଫାଇଦା ପାଇବେ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡ.ଏସ୍ ମୁରଲୀଧର ମତବ୍ୟକ୍ତ କରିଛନ୍ତି। ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷଠାରେ ସଂଘର ସଭାପତି କୁଶ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜଷ୍ଟିସ ଡ. ମୁରଲୀଧର ଇ-ଲାର୍ଣ୍ଣିଂ ଏବଂ ଇ-କୋର୍ଟ ବ୍ୟବସ୍ଥାର ସଦ୍ଉପଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ। କୋଭିଡ୍-୧୯ର କଟକଣା ଉଭୟ ଯୋଜନାକୁ ଫଳପ୍ରଦ କରିଛି। ତେଣୁ ଯୁବ ଓକିଲମାନେ ଇ-କୋର୍ଟ ଉପରେ ଅଧ୍ୟୟନ କରିବାକୁ ସେ ପରାମର୍ଶ ଦେଇଥିଲେ।
ସମୟ ସହ ତାଳ ଦେଇ ଇଣ୍ଟରନେଟ ଯୁଗରେ ଇ-କୋର୍ଟକୁ ହିଁ ଗୁରୁତ୍ବ ଦିଆଯାଇପାରିବ ବୋଲି ସେ କହିଥିଲେ। ଓକିଲ ସଙ୍ଘ ପକ୍ଷରୁ ଭିଜିଲାନ୍ସ କୋର୍ଟ ଓ କମର୍ସିଆଲ କୋର୍ଟର ସର୍କିଟ୍ କୋର୍ଟ ସ୍ଥାପନ ଦାବି ଉପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ୍ ଡ. ମୂରଲୀଧର ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଯୁଗ୍ମ ସଂପାଦକ ଅତିଥି ପରିଚୟ, ସାଧାରଣ ସମ୍ପାଦକ ହରିହର ପ୍ରଧାନ ଦାବିପତ୍ର ପାଠ କରିଥିଲେ। ଉପ ସଭାପତି ମୋହିତ ମହାପାତ୍ର ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଓକିଲ ଅଚ୍ୟୁତାନନ୍ଦ ମହାପାତ୍ର ଓ ନିଧୁବନ ବିହାରୀ ପ୍ରସାଦ ପଣ୍ଡା ମୁଖ୍ୟ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସି. ଆର୍. ଦାଶ, ମୁଖ୍ୟ ବିଚାରପତିଙ୍କ ବରିଷ୍ଠ ସଚିବ ଆନନ୍ଦଚରଣ ଦାଶ, ବରଗଡ଼ ଜିଲ୍ଲା ଜଜ୍ ଅସୀମ ଦଳବେହେରା, ସବ୍ ଜଜ୍ ତଥା ରେଜିଷ୍ଟ୍ରାର ବିଶେଷ ସାହୁଙ୍କ ସମେତ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ।
The post ବରଗଡ଼ରେ ମୁଖ୍ୟ ବିଚାରପତି: ‘ଇ-କୋର୍ଟ ସେବା ଲୋକାଭିମୁଖୀ ହେବ’ first appeared on Sambad.from ଜିଲ୍ଲା | Sambad https://ift.tt/3j3WGUn
0 Comments