
କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଅଂଚଳରେ ବେଆଇନ ଭାବେ ଚାଲିଥିବା ଫର୍ଣ୍ଣିଚର ୟୁନିଟ୍ ଓ କରତ କଳ ଉପରେ ଶନିବାର ଚଢ଼ଉ କରିଛି ବନବିଭାଗ। ଏସବୁ ସ୍ଥାନରୁ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା, ଅର୍ଦ୍ଧନିର୍ମିତ କାଠ ସାମଗ୍ରୀ ଓ କରତ କଳରେ ବ୍ୟବହୃତ ଯନ୍ତ୍ରାଂଶ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ବଲାଙ୍ଗୀର ଏସିଏଫ୍ ବାବାଜୀ ଚରଣ ରାଉଳ ଦେଇଥିବା ସୂଚନା ଅନୁସାରେ, କଂଟାବାଞ୍ଜି କେଭି କଲେଜ ପଛପଟେ ଥିବା କାଦୋବସା ଗାଁରେ ଚାଲିଥିବା ଏକ ବେଆଇନ କରତ କଳ ଉପରେ ସକାଳେ ଚଢ଼ଉ କରାଯାଇଥିଲା। କରତ କଳର ଯନ୍ତ୍ରାଂଶ ଖୋଲି ଏକ ମିନିଟ୍ରକ୍ (ଓଡି ୦୨ ଏଫ୍ ୧୫୮୧)ରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରଖାଯାଇଥିଲା। ବନ ବିଭାଗ ଉକ୍ତ ମିନିଟ୍ରକ୍ ସହ ଏଥିରେ ଥିବା ସାମଗ୍ରୀକୁ ଜବତ କରିଥିଲା। ଏହି ସମୟରେ ବନ ବିଭାଗ କର୍ମଚାରୀଙ୍କ ସହ କରତ କଳ ମାଲିକ ଓ କର୍ମଚାରୀମାନଙ୍କ ଧସ୍ତାଧସ୍ତି ହୋଇଥିଲା। ସେହିପରି କଂଟାବାଞ୍ଜି ସହରର ଗୋପବନ୍ଧୁ ନଗର ଓ ଶିବାଜୀ ନଗରରେ ଥିବା ୨ଟି ଫର୍ଣ୍ଣିଚର ୟୁନିଟରେ ମଧ୍ୟ ବନ ବିଭାଗ ଚଢ଼ଉ କରିଥିଲା। ସେଠାରୁ ମୂଲ୍ୟବାନ ସାଗୁଆନ ପଟା, ଅର୍ଦ୍ଧନିର୍ମିତ ଡାଇନିଂ ସେଟ, ପଲଙ୍କ, ସୋଫା, କବାଟ ଇତ୍ୟାଦି ସାମଗ୍ରୀ ଜବତ କରିଥିଲା। ଏହି ଚଢ଼ଉ ସମୟରେ ସଂପୃକ୍ତ କରତ କଳ ମାଲିକ ଟୁକୁନା ମହାନ୍ତି, ତରୁଣ ମହାନ୍ତି, ରାଜୁ ପନିକା, ଫର୍ଣ୍ଣିଚର ୟୁନିଟର ସୁଦାମ ନିଆଁଲ, ବୈଷ୍ଣବ କେତକୀଙ୍କୁ ଗିରଫ କରାଯାଇଥିଲା। ଫର୍ଣ୍ଣିଚର ୟୁନିଟର ମାଲିକ ଦଶରୁ ମହାନନ୍ଦ ଫେରାର୍ ଥିବା ସୂଚନା ମିଳିଛି। ଏ ନେଇ ବନବିଭାଗ କେସ୍ ନଂ ୫୬/ଓଆର୍ରେ ଦୁଇଟି ଓ ଏକ ୟୁଡି ମାମଲା ରୁଜୁ କରିଛି। ଆଜିର ଚଢ଼ଉରେ ବନବିଭାଗର କଂଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳି, ଫରେଷ୍ଟର ବିନୋଦ ଧରୁଆ, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତି ସୁନା, ମୋବାଇଲ ଷ୍ଟାଫ୍ ଫରେଷ୍ଟର ସୁଶୀଳ ମିଶ୍ର, ହରେକୃଷ୍ଣ ପାଣି, ଫରେଷ୍ଟର ବ୍ୟାସଦେବ ସାହୁ, ଅଶୋକ ସେଠ, ରଞ୍ଜିତ କୁମ୍ଭାର ସାମିଲ ଥିଲେ।
କାହା ଇସାରାରେ ଚାଲୁଥିଲା କରତ କଳ?

କଂଟାବାଞ୍ଜି ସହର ତଥା ଆଖପାଖ ଅଂଚଳରେ ବେଆଇନ କରତ କଳ ଏବଂ ଫର୍ଣ୍ଣିଚର ୟୁନିଟ କାହା ଇସାରାରେ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଆଜିର ଚଢ଼ଉ ସଂପର୍କରେ କରତ କଳ ମାଲିକ ଆଗୁଆ ସୂଚନା ପାଇ ଯନ୍ତ୍ରାଂଶ ଖୋଲି ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବାରୁ କିଛି ଅସାଧୁ ବନ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୁଣି କରତକଳ ସରକାରୀ ଜମିରେ ତିଆରି କରାଯାଇଥିଲା। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଏସିଏଫ୍ ଶ୍ରୀ ରାଉଳଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।
The post ବେଆଇନ କରତ କଳ ସହ ଦୁଇଟି ସ୍ଥାନରେ ବନବିଭାଗର ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/2UDmQnB
0 Comments