
ବୁର୍ଲା : ଲିଖିତ ପ୍ରତିଶ୍ରୁତି ପରେ ଦୀର୍ଘ ୨୨ ଦିନ ପରେ ଭିମ୍ସାର ସଫେଇ କର୍ମଚାରୀ ଏବଂ କୋଭିଡ୍ ହସ୍ପିଟାଲ ଛଟେଇ କର୍ମଚାରୀଙ୍କ ଆନ୍ଦୋଳନ ଶନିବାର ରାତିରେ ପ୍ରତ୍ୟାହୃତ ହୋଇଛି। କୋଭିଡ୍ ହସ୍ପିଟାଲ ଛଟେଇ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ୨୦ ଜଣ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରବର୍ତ୍ତୀ ସମୟରେ ଭିମ୍ସାର ସଫେଇ କର୍ମଚାରୀମାନେ ଛଟେଇ କର୍ମଚାରୀଙ୍କୁ ସମର୍ଥନ କରିବା ସହିତ ସେମାନଙ୍କ ୫ ଦଫା ଦାବି ନେଇ ସୁଶୀଲ ବନଛୋରଙ୍କ ନେତୃତ୍ବରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଦୀର୍ଘ ୧୨ ଦିନ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ଦାବି ପୂରଣ ପାଇଁ ପଦକ୍ଷେପ ନିଆନଯିବାରୁ ସେମାନେ ଆମରଣ ଅନଶନ ଆରମ୍ଭ କରିଥିଲେ। ଆନ୍ଦୋଳନକୁ ବିଜେଡି, ବିଜେପି ଓ କଂଗ୍ରେସ ଦଳର ସମର୍ଥନ ବି ମିଳିଥିଲା।
ଏପଟେ ନିଜ ହକ୍ ଓ ନ୍ୟାୟ ପାଇଁ ଅନଶନରେ ବସିଥିବା କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ୪ ତାରିଖ ଦିନ ଗୁରୁତର ହେବାରୁ ସେମାନଙ୍କୁ ଭିମ୍ସାରରେ ଭର୍ତ୍ତି କରାଯାଇଥିଲା। ଯଦି ଶୀଘ୍ର ଦାବିପୂରଣ ଦିଗରେ ପଦକ୍ଷେପ ନିଆନଯାଏ, ତାହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବାକୁ ଚେତାବନୀ ଦିଆଯାଇଥିଲା। ଏଭଳି ସ୍ଥିତିରେ ଶନିବାର ରାତି ୧୦ଟାରେ ଏଲ୍ ଆଣ୍ଡ କେ ସର୍ଭିସେସ୍ର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଲାଇ ଭିମ୍ସାର ଅଧୀକ୍ଷକଙ୍କୁ ସଫେଇ କର୍ମଚାରୀମାନଙ୍କ ସମସ୍ତ ଦାବି ପୂରଣ ସଂପର୍କରେ ଲିଖିତ ଭାବେ ଜଣେଇ ଥିଲେ। ଏହା ପରେ ଭିମ୍ସାରର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ, ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ, ଥାନା ଅଧିକାରୀ କମଳ ପଣ୍ଡା ପ୍ରମୁଖ ଅନଶନସ୍ଥଳକୁ ପହଂଚି କର୍ମଚାରୀମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। ଏହା ମିଳିତ ଭାବେ ସମସ୍ତଙ୍କଠାରୁ ପ୍ରୁତିଶ୍ରୁତି ମିଳିବା ପରେ ରାତି ୧୦ଟାରେ ଅନଶନ ପ୍ରତ୍ୟାହାର ହୋଇଥିଲା।
The post ଲିଖିତ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହାର, ୨୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/3iuNs30
0 Comments