ସୁନ୍ଦରଗଡ଼:  ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। ବନ୍ଦକୁ ଵିଧାୟିକା କୁସୁମ ଟେଟେଙ୍କ ନେତୃତ୍ଵରେ ଥିବା ସୁନ୍ଦରଗଡ଼ ବିକାଶ ଫୋରମ, ବଣିକ ସଂଘ ଓ ଅନ୍ୟ ସଂଗଠନ ସମର୍ଥନ କରିଛନ୍ତି। ଏହିକ୍ରମରେ ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡି ଚଳାଚଳ କରୁଛି । ଏପରିକି ବନ୍ଦ ଯୋଗୁଁ ଏମସିଏଲର କୋଇଲା ପରିବହନ ମଧ୍ୟ ପ୍ରଭାବିତ ହୋଇଛି ।

ସୁନ୍ଦରଗଡ଼ରେ ନୂଆ କରି ତିଆରି ହୋଇଥିବା ଏନଟିପିସି ମେଡିକାଲରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। କେନ୍ଦ୍ରର ବୈଷୟିକ ଟିମ୍ ସୁନ୍ଦରଗଡ଼ର ଏନଟିପିସି ମେଡିକାଲ କଲେଜ ବୁଲି ଭିତ୍ତିଭୂମି ତଦାରଖ କରିଥିଲେ। ଏହାପରେ ଏମ୍ସ ପ୍ରତିଷ୍ଠା ନେଇ ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାଵାସୀ ଆଶାବାଦୀ ହୋଇ ପଡ଼ିଥିଲେ।

ହେଲେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାର ନାମଲେଖା ବିଜ୍ଞପ୍ତି ଜାରି କରାଯିବା ପରେ ଏଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେବନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ବଢିଛି। ଲୋକଙ୍କ ଦାବିକୁ ସମର୍ଥନ ଜଣାଇ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସହର ସମ୍ପୂର୍ଣ୍ଣ ଵନ୍ଦ ରହିଛି।

The post ଏମ୍ସ ପ୍ରତିଷ୍ଠା ଦାବିରେ ଆଜି କଂଗ୍ରେସର ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ first appeared on Sambad.

from ଜିଲ୍ଲା | Sambad https://ift.tt/37rbVju