
ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗଜମାଲ ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ ସୀମା ସାହୁ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣାରେ ଡୁଙ୍ଗୁରିପାଲି ପୁଲିସ ଉକ୍ତ ଗାଁର ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ଗଜମାଲ ଗ୍ରାମର ସୀମା କର୍ଲାଯୁରୀ ହାଇସ୍କୁଲର ଦଶମ ଛାତ୍ରୀ ଥିଲେ। ଗତ ୧୬ ତାରିଖ ସେ ସ୍କୁଲକୁ ଆସି ୪୦ ମିନିଟ୍ କ୍ଲାସ୍ କରିଥିଲେ। ପରେ ହଠାତ୍ ବାନ୍ତି ହୋଇ ଅଚେତ ହୋଇଯିବାରୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ପରିବାର ଲୋକଙ୍କୁ ଡାକି ଡାକ୍ତରଖାନା ନେବା ପାଇଁ ପରାମର୍ଶ ଦେଇଥିଲେ। ଡୁଙ୍ଗୁରିପାଲି ଡାକ୍ତରଖାନାକୁ ତାଙ୍କୁ ଆଣିବା ପରେ ସେ ବିଷ ପିଇଥିବା ଜଣାପଡ଼ିବାରୁ ଡାକ୍ତର ପୁଲିସକୁ ଖବର ଦେଇଥିଲେ।
ଘଟଣା ପରେ ସୀମାଙ୍କ ଅଜା ଥାନାରେ ଅଭିଯୋଗ କରିଥିଲେ ଯେ ଘଟଣା ଦିନ ଗ୍ରାମର ସରୋଜ ସାହୁ(୨୦) ଓ ଘୁନୁ ପାଣ୍ଡେ ଘରକୁ ଆସି କୌଣସି କାରଣରୁ ସୀମାକୁ ଧମକ ଚମକ ଦେଇଥିଲେ। ମାନସିକ ଯନ୍ତ୍ରଣା ସହ୍ୟ କରି ନ ପାରି ସୀମା ଆତ୍ମହତ୍ୟା କରିଥିବା ସନ୍ଦେହରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି। ଆଇଆଇସି ଭାନୁଶଙ୍କର ଯାଦବ ଏହାର ତଦନ୍ତ କରୁଛନ୍ତି।
The post ଗଜମାଲ ଗାଁ ହାଇସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ମୃତ୍ୟୁ ପୂର୍ବରୁ ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗରେ ୨ ଯୁବକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3AVbGtJ
0 Comments