
ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର ୪ ନମ୍ବର ୱାର୍ଡ ଲକ୍ଷ୍ମୀନଗର ଠାରେ ଆଜି ଦୁଇଜଣ ଦୁର୍ବୃତ୍ତ ଘରଭଡ଼ା ଆଳରେ ଆସି ଜଣେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ମହିଳା ଜଣକ ଲକ୍ଷ୍ମୀନଗରର ଅବସରପ୍ରାପ୍ତ ଓଏମ୍ସି କର୍ମଚାରୀ ସୁକାନ୍ତ ଚକ୍ରବର୍ତ୍ତୀଙ୍କ ପତ୍ନୀ ମନୋରେଖା ଚକ୍ରବର୍ତ୍ତୀ(୬୧)।
ଘଟଣା ଅନୁଯାୟୀ, ଗତ ଦୁଇଦିନ ତଳେ ଜଣେ ଯୁବକ ଘରଭଡ଼ା ବାହାନାରେ ଆସି ମନୋରେଖାଙ୍କ ଘର ବୁଲି ଦେଖିଯାଇଥିଲା। ଆଜି ମଧ୍ୟାହ୍ନରେ ସମ୍ପୃକ୍ତ ଯୁବକ ଅନ୍ୟ ଜଣେ ଯୁବକ ସହ ଆସି ଘର ଦେଖିବା ପାଇଁ କହିଥିଲା। ଅନ୍ୟ ଯୁବକ ଜଣକ ତାର ଶଳା ବୋଲି ପରିଚୟ ଦେଇଥିଲା। ସେମାନଙ୍କୁ ଘର ଦେଖାଇବା ପାଇଁ ଉପର ମହଲାକୁ ନେଇଥିବା ମନୋରେଖାଙ୍କୁ ଦୁଇ ଦୁର୍ବୃତ୍ତ ହଠାତ୍ କାବୁ କରି ତାଙ୍କ ପାଟିରେ କପଡ଼ା ପୂରାଇ ଦେବା ସହ ହାତକୁ ବାନ୍ଧି ଦେଇଥିଲେ। ରୋଷେଇ ଘର ଭିତରେ ବାନ୍ଧି ପକାଇ ଦେଇ ସେ ପିନ୍ଧିଥିବା ସୁନା କାନଫୁଲ, ଚୁଡ଼ି, ନାକଫୁଲ ଇତ୍ୟାଦି ଛିଣ୍ଡାଇ ନେଇଥିଲେ। ମହିଳା ଜଣକ କୌଣସିି ମତେ ମୁହଁକୁ କପଡ଼ା ଖୋଲିଦେଇ ପାଟି କରିବାରୁ ଦୁର୍ବୃତ୍ତମାନେ ବାଇକ୍ ଧରି ଫେରାର ହୋଇଯାଇଥିଲେ। ପଡ଼ୋଶୀ ପହଞ୍ଚିି ମନୋରେଖାଙ୍କୁ ଉଦ୍ଧାର କରିଥିଲେ। ଏନେଇ ଯାଜପୁରରୋଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ହେଲେ ଲୁଟେରାମାନଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନାହିଁ।
The post ଘରଭଡ଼ା ପାଇଁ ଆସି ମହିଳାଙ୍କୁ ଲୁଟିଲେ ୨ ଦୁର୍ବୃତ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3CwEE4H
0 Comments