ସୁନ୍ଦରଗଡ଼ : ଚମକିଲେ ସୁନ୍ଦରଗଡ଼ର ଝିଅ ଆରଫିନ୍ ସଇଦ। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟର ସ୍ଥପତି ବିଦ୍ୟା ସ୍ନାତକ ଡିଗ୍ରିରେ ପ୍ରଥମ କରି ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ରକ୍ଷଣଶୀଳ ମୁସଲିମ୍ ସମ୍ପ୍ରଦାୟର ଝିଅଙ୍କ ଏହି ସଫଳତା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ୧୪ ତାରିଖରେ କିଟ୍‌ରେ ୧୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷା ଓ କୁଶଳୀ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ରୂପେ, ନୋବେଲ ବିଜେତା ଫ୍ରାନ୍ସର ପ୍ରଫେସର୍ ଜି-ମେରି ଲେ୍, ଆଧ୍ୟାତ୍ମିକ ଗୁରୁ ମାତା ଅମୃତାନନ୍ଦମୟୀ ଦେବୀ (ଆମ୍ମା), ଇନାମ ସିକ୍ୟୁରିଟି ସହ ପ୍ରତିଷ୍ଠାତା ବଲ୍ଲଭ ଭଂଶାଳୀ ପ୍ରମୁଖ ଭର୍ଚୁଆଲ୍ ସଂଯୋଗରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦପ୍ରକାଶ ସୁଶ୍ରୀ ଆରଫିନ୍‌ଙ୍କୁ ପଦକ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟରେ ୩ ବର୍ଷର ସ୍ଥପତି ପାଠ୍ୟକ୍ରମରେ ପ୍ରଥମ ଥର ପାଇଁ ଏହି ପଦକ ପ୍ରଦାନ କରାଯାଇଥିବା ବେଳେ ଆରଫିନ୍ ଏହି ସୌଭାଗ୍ୟ ହାସଲ କରିଛନ୍ତି। ସୁନ୍ଦରଗଡ଼ ସୁନାରିପଡ଼ାର ନାଗରିକ ଅବଦୁଲ ସଇଦ ଓ ନିଖାତ ସଇଦଙ୍କ ସାନ ଝିଅ ଆରଫିନ୍‌ଙ୍କ ଏହି ସଫଳତା ଅନ୍ୟମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଚର୍ଚ୍ଚା ହେଉଛି।

The post ଚମକିଲେ ସୁନ୍ଦରଗଡ଼ ଝିଅ ଆରଫିନ୍, ସ୍ଥପତି ସ୍ନାତକରେ ପାଇଲେ ସ୍ବର୍ଣ୍ଣ  first appeared on Sambad.

from ଜିଲ୍ଲା | Sambad https://ift.tt/3iP81aL