
ବାଲେଶ୍ବର/ଜଳେଶ୍ବର : ମଙ୍ଗଳବାର ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀ ତଟରେ ଥିବା ରାଜପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଯିବା ସହ ୨ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଥିଲା। ଆଜି ଜିଲ୍ଲା ଅବକାରୀ ବିଭାଗ ଭାରପ୍ରାପ୍ତ ଅଧୀକ୍ଷକ ଅଶୋକ ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
କୋଲକାତାରୁ ଜଳେଶ୍ବରକୁ ବିପୁଳ ପରିମାଣର ବ୍ରାଉନସୁଗାର ଆସୁଥିବା ସେ କହିଛନ୍ତି। ତେବେ ବେପାରୀମାନେ ସତର୍କତାର ସହ ଏହି କାରବାର କରୁଥିବାରୁ ସେମାନଙ୍କୁ ଧରିବା କଷ୍ଟକର ହେଉଛି। ତେବେ ଗତକାଲି ସଂଧ୍ୟାରେ ସ୍ଥାନୀୟ ପୁଲିସ ଏବଂ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଅଞ୍ଚଳକୁ ଯାଇଥିଲା। ଅବକାରୀ ଟିମ୍ ସେଖ ରଫିକ୍ ନାମକ ଜଣେ ୨୭ ବର୍ଷୀୟ ଯୁବକଠାରୁ ୬୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ପୁଲିସ୍ ଟିମ୍ ମୋଟ ୭୨୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ଲେଡି ନିଶା ମାଫିଆ ଅମିନା ବିବି(୫୨)କୁ ଗିରଫ କରିଥିବା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ଏ ନେଇ ଉଭୟ ପୁଲିସ ଏବଂ ଅବକାରୀ ବିଭାଗ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ଦୁଇଟି ମାମଲା ରୁଜୁ କରିବା ସହ ଗିରଫ ରଫିକ୍ ଓ ଅମିନାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଚଢ଼ଉ ଟିମ୍ରେ ଜିଲ୍ଲା ଅବକାରୀ ଉପ ଅଧୀକ୍ଷକ ସୁଶାନ୍ତ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୪୫ ଜଣ ଅବକାରୀ ଏବଂ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।
The post ବ୍ରାଉନସୁଗାର ବେପାରୀ ଅମିନା ବିବି ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3ATfQCt
0 Comments