
ବିନିକା : ଦୁଇ ପରିବାର ମଧ୍ୟରେ ପ୍ରଥମେ ମାଡ଼ପିଟ୍ ହୋଇଥିଲା। ଗୋଟିଏ ପରିବାରର ସଦସ୍ୟମାନେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଅପରପକ୍ଷ ଲୋକ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବିନିକା ଥାନାରେ ସେଲେଡ଼ି ଗାଁରେ ଏହି ଘଟଣା ଘଟିଛି। ଏଥିରେ ବୃଦ୍ଧ ଦମ୍ପତି ଗୋଲେଖ ବାଘ ଓ ଜେମା ବାଘଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।
ବିନିକା ଥାନାରେ ଜେମା ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଜମିବାଡ଼ି ବିବାଦ ଥିବା ସେଲେଡ଼ି ଗ୍ରାମର ମଣ୍ଟୁ ବାଘ, ଗଂଗା ବାଘ, ଦେବାନନ୍ଦ ବାଘ, ବେନାର ବାଘ, ସୁରୁବାବୁ ବାଘ, ଘୁମ ବାଘ, ସସ୍ମିତା ବାଘ, ବେନ୍ଦରି ବାଘ, ମାଧୁରୀ ବାଘ, ମାଖିନି ବାଘ, ଦେବବ୍ରତ ପେରା, ପ୍ରିୟବ୍ରତ ପେରା ପ୍ରମୁଖ ସଂଘବଦ୍ଧ ଭାବେ ଆସି ତାଙ୍କ ସହ ସ୍ବାମୀ ଗୋଲେଖ ବାଘ, ଉକିଆ ଜାଲ, ତିଲୋତ୍ତମା ନାଗ, ଗାନ୍ଧି ମଲ୍ଲିକ, ସଞ୍ଜିବ ଦୀପ, ସମାରୁ ଜାଲଙ୍କୁ ମାଡ଼ପିଟ୍ କରିଥିଲେ। ଏଥିରେ ଗୋଲେଖ, ଜେମା ଓ ଉକିଆ ଗୁରୁତର ଆହତ ହୋଇଥିଲେ। ଫଳରେ ସେମାନଙ୍କୁ ପରିବାର ଅନ୍ୟ ସଦସ୍ୟମାନେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ବୁଧବାର ତାଙ୍କ ଘରେ କେହି ନିଆଁ ଲଗାଇ ଦେଇଥିଲା। ଫଳରେ ତାଙ୍କ ୩ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଗୁରୁବାର ସକାଳେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଦମକଳ ବାହିନୀକୁ ଫୋନ୍ କରିଥିଲେ। ଦମକଳବାହିନୀ ଆସି ନିଆଁ ଲିଭାଇ ଥିଲେ। ଏହି ଖବର ପାଇବା ପରେ ଜେମା ଘରକୁ ଆସି ଦେଖିଥିଲେ। ପରେ ଥାନାକୁ ଯାଇ ଏତଲା ଦେଇଥିଲେ। ଅପର ଗୋଷ୍ଠୀ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟ ପକ୍ଷ ମଧ୍ୟ ପାଲଟା ଅଭିଯୋଗ ନେଇ ଥାନାକୁ ଆସିଥିବା ଜଣାଯାଇଛି। ଘରପୋଡ଼ି ବାବଦରେ ବିନିକା ତହସିଲଦାର ଅଲେଖ ଘୁଟାଙ୍କୁ ପଚାରିବାରୁ ସେଲେଡ଼ି ଆର୍ଆଇ ତାଙ୍କ ଘରକୁ ଯାଇଥିଲେ। ଘରେ କୌଣସି ସଦସ୍ୟ ନଥିବାରୁ ସେ ଫେରିଆସିଛନ୍ତି। ଆର୍ଆଇ ରିପୋର୍ଟ ଦେବା ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
The post ଝଗଡ଼ା ପରେ ବୃଦ୍ଧ ଦମ୍ପତିଙ୍କ ଘରେ ନିଆଁ ଲଗାଇଲେ first appeared on Sambad.from ଜିଲ୍ଲା | Sambad https://ift.tt/3EPEzKS
0 Comments