
ଚମ୍ପୁଆ : ପୁତ୍ର ହତ୍ୟାକାରୀ ଦମ୍ପତିଙ୍କୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଳଗୋବିନ୍ଦ ବାରିକ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତଙ୍କ ୩ ସ୍ତ୍ରୀ। ଏକ ଘଟଣାକୁ ନେଇ ତାଙ୍କ ତୃତୀୟ ସ୍ତ୍ରୀର ପୁଅ ପୀତାମ୍ବରଙ୍କ ସହିତ ଝଗଡ଼ା ହୋଇଥିଲା। ନାରାୟଣ, ତାଙ୍କ ପ୍ରଥମ ସ୍ତ୍ରୀ ମାଳତୀ ଏବଂ ଦ୍ବିତୀୟ ସ୍ତ୍ରୀର ପୁଅ ଗୌତମ ମିଶି ପୀତାମ୍ବରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୀତାମ୍ବର ତଳେ ପଡ଼ିଯିବା ପରେ ବାପା ନାରାୟଣ ତାଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀ ପୀତାମ୍ବରଙ୍କ ଭାଉଜ ସୁଷମା ମହାନ୍ତଙ୍କ ଅଭିଯୋଗକ୍ରମେ ବାମେବାରୀ ପୁଲିସ ଏକ ମାମଲା ରୁଜୁ କରି ନାରାୟଣ, ମାଳତୀ ଏବଂ ଗୌତମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୁଷମାଙ୍କ ସମେତ ୨୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ବାରିକ ଅଭିଯୁକ୍ତ ନାରାୟଣ ଓ ମାଳତୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଗୌତମକୁ ଏକବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି। ସରକାରୀ ଓକିଲ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ।
The post ପୁତ୍ରହନ୍ତା ଦମ୍ପତିଙ୍କୁ ଆଜୀବନ ଜେଲ୍ first appeared on Sambad.from ଜିଲ୍ଲା | Sambad https://ift.tt/2VeDHx8
0 Comments