ବୈପାରିଗୁଡା: ସାର ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ନିରାଶ ହୋଇ ଶେଷରେ ରାଜରାସ୍ତାକୁ ଓହ୍ଲେଇଲେ ଚାଷୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ଠାରେ। ବୁଧବାର ଦିନ ଚାଷୀମାନଙ୍କୁ ସାର ପ୍ରଦାନ କରାଯିବାକୁ ଲ୍ୟାମ୍ପସ୍ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିବାରୁ ଆଜି ସକାଳୁ ସକାଳୁ ଚାଷୀମାନେ ଲ୍ୟାମ୍ପସ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଲ୍ୟାମ୍ପସ୍ ଏମ୍.ଡି. ଙ୍କୁ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଏମ୍.ଡି. ନଆସିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଉତ୍ୟକ୍ତ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ବୈପାରିଗୁଡା ଶହିଦ ଲକ୍ଷ୍ମଣ ନାୟକ ଛକ ଠାରେ ଶତାଧିକ ଚାଷୀ ରୁଣ୍ଡ ହୋଇ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଅବରୋଧ କରିବା ସହ ନାରାବାଜି ଆରମ୍ଭ କରିଦେଇଥିଲେ। ରାସ୍ତା ଅବରୋଧ ହେବା ଯୋଗୁଁ ବହୁ ସଂଖ୍ୟାରେ ଯାନବାହାନ ରାସ୍ତା ଉପରେ ଅଟକି ରହିଥିଲା।

ଇତିମଧ୍ୟରେ ଏକାଧିକବାର ଏମଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏମଡି ଫୋନ ଉଠାଉ ନଥିବା ଅଭିଯୋଗ ଆଣି ଚାଷୀମାନେ ହଙ୍ଗାମା ଆରମ୍ଭ କରିଦେଲେ। ଶେଷରେ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଚାଷୀମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଚାଷୀମାନେ ବୁଝିବା ଅବସ୍ଥାରେ ନଥିଲେ। ଏମଡି ତାଙ୍କ ନିକଟରେ ନପହଞ୍ଚିବା ଯାଏ ରାସ୍ତା ଉପରୁ ହଟିବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ। ଅଗତ୍ୟା ପୋଲିସ ଏମଡିଙ୍କ ସହ ଯୋଗାଯୋଗ କରିଥିଲେ। ଏମଡି ଆସି ପହଞ୍ଚିବା ପରେ ଉତ୍ୟକ୍ତ ଚାଷୀମାନେ ଘେରାଉ କରି ରଖିଥିଲେ। ପ୍ରଥମ ଅବସ୍ଥାରେ ଚାଷୀମାନେ ପୋଲିସର କଥା ମଧ୍ୟ ଶୁଣୁନଥିଲେ। ବହୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏମଡି ପୋଲିସ ସାମ୍ନାରେ ପ୍ରକାଶ କରିଥିଲେ ଯେ, ବର୍ତ୍ତମାନ କ୍ୟାମ୍ପସରେ ୧୫୬୦ ବସ୍ତା ସାର ମହଜୁଦ ଅଛି। ଆସନ୍ତାକାଲି ଆଉ ୪୪୦ ବସ୍ତା ସାର ଆସି ପହଞ୍ଚିବ। ତେଣୁ ଶୁକ୍ରବାର ଦିନ ଚାଷୀମାନଙ୍କୁ ସାର ଯୋଗାଇ ଦିଆଯିବ। ପୋଲିସ ଚାଷୀମାନଙ୍କୁ ବୁଝାସୁଝା କରିବା ପରେ କ୍ୟାମ୍ପସ କାର୍ଯ୍ୟାଳୟ ଠାରେ ଟୋକନ ବଣ୍ଟାଯାଇଥିଲା। ଆସନ୍ତା ଶୁକ୍ରବାର ଆଧାର କାର୍ଡ ଧରି ଚାଷୀମାନେ ପହଞ୍ଚି ସାର ନେଇ ପାରିବେ ବୋଲି ଏମଡି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଶାନ୍ତ ପଡ଼ିଥିଲେ।

ତେବେ ଶୁକ୍ରବାର ଦିନ ୮୦୦ ଜଣ ଟୋକନ ଧାରୀ ଚାଷୀଙ୍କୁ ସାର ବଣ୍ଟନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଚାଷୀମାନଙ୍କୁ ସାର ଦିଆଯିବ ବୋଲି କ୍ୟାମ୍ପସ ତରଫରୁ ପ୍ରକାଶ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଆଇଆଇସି ଈଶ୍ଵର ତାଣ୍ଡି,ଏସ୍ଆଇ ଅସିତ କୁମାର ବଳବନ୍ତରାୟ ଏବଂ ଘାସିରାମ ସେଠୀ ଘଟଣାସ୍ଥଳରେ ପହଂଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ଯଦି ଲ୍ୟାମ୍ପସ ଏମଡି ନିଜ ପ୍ରତିଶ୍ରୁତି ରକ୍ଷା ନକଲେ ଲ୍ୟାମ୍ପସ କାର୍ଯ୍ୟାଳୟକୁ ତାଲା ପକାଇ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

The post ସାର ନପାଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/38GdIBK