ରାୟଗଡ଼ା : ବଂଶଧାରା ଉପରମୁଣ୍ଡରେ ହେବ ୩ରୁ ୪ କ୍ଷୁଦ୍ର ଜଳ ପ୍ରକଳ୍ପ। ଓଡ଼ିଶା ଭାଗରେ ଥିବା ୧୧୫ ଟିଏମସି ଜଳ ରାଶିରୁ ଟୋପାଏ ବି ସମୁଦ୍ରରେ ମିଶିବାକୁ ଦିଆଯିବନି। ନୂତନ ପ୍ରକଳ୍ପ ପାଇଁ ୧୫ ଦିନ ମଧ୍ୟରେ ସର୍ଭେ କାର୍ୟ୍ୟ ଆରମ୍ଭ ହେବା ସହିତ ୨ ମାସ ମଧ୍ୟରେ ଡିପିଆର୍ ଦାଖଲ ପାଇଁ ନିଷ୍ପତ୍ତି ହୋଇଛି ।

ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳକୁ ବଂଶଧାରା ସୁରକ୍ଷା ସମିତି କର୍ତ୍ତୃପକ୍ଷ ଭେଟିବା ପରେ ପ୍ରକଳ୍ପ ନିର୍ମାଣ ଦାବିରେ ଚାଲିଥିବା ଆନ୍ଦୋଳକୁ ଏହି ସଫଳତା ମିଳିଛି। ବଂଶଧାରା ଜଳ ବିବାଦ ମାମଲାରେ କେନ୍ଦ୍ର ସରକାର ନେରେଡ଼ିରେ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କୁ ସବୁଜ ସଙ୍କେତ ଦେବା ପରେ ଗୁଣପୁରବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜନ ଆନ୍ଦୋଳନ। ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନ ବଂଶଧାରା ଉପରମୁଣ୍ଡର ପାଣିଡଙ୍ଗରରୁ ଗଜପତି ଜିଲ୍ଲା ପାଲସିଂ ଯାଏଁ ପହଞ୍ଚିଥିଲା। ପଦଯାତ୍ରା, ପ୍ଲାକାର୍ଡ ପ୍ରଦର୍ଶନ, ଧାରଣା, ଅନଶନ, ଦୈନିକ ଦାବି ପତ୍ର ପ୍ରଦାନ କାର୍ୟ୍ୟକ୍ରମ ସୁରକ୍ଷା ସମିତି ହାତକୁ ନେଇଥିଲା। ଶେଷଦିନରେ ସୁରକ୍ଷା ସମିତିର ଦାବିକୁ ସମର୍ଥନ ଜଣାଇ ପଦ୍ମଶ୍ରୀ ଶାନ୍ତି ଦେବୀ ଧାରଣାରେ ସାମିଲ ହୋଇଥିଲେ। ପୂର୍ବ ନିଷ୍ପତ୍ତି ମୁତାବକ ସୁରକ୍ଷା ସମିତିର ୫ ଜଣିଆ ପ୍ରତିନିଧି ଦଳ ରାଜଧାନୀ ଗସ୍ତ କରି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳକୁ ଭେଟି ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନାରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍. ଭିନିଲ କ୍ରିଷ୍ଣା, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନ ହେବା ଯୋଗୁ ୫୦ ବର୍ଷ ଧରି ବନ୍ୟାରେ ଗୁଣପୁର, ଗୁଡାରିଠୁ ଆରମ୍ଭ କରି ଗଜପତି ଜିଲ୍ଲାର କାଶୀନଗରବାସୀ କିଭଳି ବନ୍ୟାକୁ ସାମନା କରୁଛନ୍ତି ସେ ସମ୍ପର୍କରେ ଅବଗତ କରିଥିଲେ। ଆନ୍ଧ୍ରର ନେରେଡି ଓ ଗୋଟା ବ୍ୟାରେଜ୍ ଯୋଗୁ ବଂଶଧାରା ଅବବାହିକା ଅଞ୍ଚଳବାସୀ ଅସୁବିଧାରେ ପଡିବେ ବୋଲି ପ୍ରତିନିଧି ଦଳ କହିଥିଲେ। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ବିଚାର କରୁଛନ୍ତି। ଉପରମୁଣ୍ଡରେ ଏକାଧିକ ବ୍ୟାରେଜ୍ ଓ ମେଗା ଲିଫ୍ଟ ପଏଣ୍ଟ କରି ବଂଶଧାରା ଜଳକୁ ବ୍ୟବହାର କରିବାକୁ ଯୋଜନା ହୋଇଛି। ଛୋଟ ଛୋଟ ବ୍ୟାରେଜ କରି ଜମିକୁ ଜଳସେଚନ ସହ ଓ ବନ୍ୟା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ନିଷ୍ପତ୍ତି ହୋଇଛି ବୋଲି ଜଳ ସଂପଦ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଥିଲେ। ଯାହା ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ହେବା ନେଇ ବାଟ ଖୋଲିଛି। ଅବବାହିକା ସୁରକ୍ଷା ସମିତିର ସଭାପତି ତଥା ଗୁଣପୁର ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, କାର୍ୟ୍ୟକାରୀ ସଭାପତି ଅକ୍ଷୟ ଦାସ, ଆବାହକ ରଂଜିତ ପାଢୀ, ଆଇନଜୀବୀ ଏସ୍. ବାବା ପ୍ରଶାଦ, ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ, ଯୁବନେତା ଗଗନ ଆଚାର୍ୟ୍ୟ, ରାୟଗଡ଼ା ଜିଲ୍ଲଶ ଛାତ୍ର ବିଜେଡ଼ି ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳକୁ ସାକ୍ଷାତ କରିଥିଲେ। ଆଲୋଚନା ପୁର୍ବରୁ ପ୍ରତିନିଧି ଦଳ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଭେଟି ବଂଶଧାରା ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଥିଲେ।

The post ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳକୁ ଭେଟିଲା ସୁରକ୍ଷା ସମିତି : ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ପାଇଁ ଫିଟିଲା ବାଟ first appeared on Sambad.

from ଜିଲ୍ଲା | Sambad https://ift.tt/2VgA0qY