
ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟରେ ଚାଲିଥିଲା ବେଆଇନ ଭାବେ ବନ୍ୟଜନ୍ତୁରୁ ପ୍ରସ୍ତୁତ ସାମଗ୍ରୀ କାରବାର। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ଚଢ଼ଉ କରିଥିଲେ। ବନ୍ୟଜନ୍ତୁରୁ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହ ଦୁଇଜଣ ଗାଈ ଚରାଳିଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ମୁଣ୍ଡକଟି ଗାଁର ରାମନିଧି ଭୋଇ(୫୨) ଓ ଖମାନିଧି ପଧାନ(୩୫)। ସେମାନଙ୍କ ପାଖରୁ ୫ଟି ଏସୀୟ ଗୋଧି ଓ ୨ କେଜି ଓଜନର ଗୋଟିଏ ସମ୍ବର ଶାଖା ଶିଙ୍ଘ(୩୧ ଇଞ୍ଚ) ଜବତ ହୋଇଛି। ଧରାପଡ଼ିଥିବା ୨ ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ ଥିଲେ ବୋଲି ବିଭାଗ ପକ୍ଷରୁ କହାଯାଇଛି।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମୁଣ୍ଡକଟି ଗାଁରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ପାଟ୍ରୋଲିଂ କର୍ମଚାରୀ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଜଣେ ଅଭିଯୁକ୍ତଙ୍କ ଘର ଭିତରୁ ସମ୍ବରର ଶିଙ୍ଘ ଜବତ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଖୋଲତାଡ଼। ପଚରାଉଚରା ବେଳେ ଗୋଧି ଚମଡ଼ା କାରବାର ହେଉଥିବା କର୍ମଚାରୀମାନେ ଜାଣିବାକୁ ପାଇଲେ। ଗୋଧିର ଚମଡ଼ାକୁ ଚମଡ଼ା ବ୍ୟାଗ୍, ଘରକରଣା ଜିନିଷପତ୍ର ଆଦିରେ ବ୍ୟବହାର କରାଯାଉଥିବା ଅଭିଯୁକ୍ତମାନେ କହିଥିଲେ। ଗୋଧି ଚମଡ଼ାକୁ ଗରମ ଚିମିନିରେ ଶୁଖାଯାଇଥିବା ବେଳେ କର୍ମଚାରୀମାନେ ତାକୁ ଜବତ କରିଥିଲେ। ତେବେ ସେମାନଙ୍କଠାରୁ କିଏ ଏସବୁ ଜିନିଷ କିଣୁଥିଲା, ଏହା ପଛରେ ଆଉ କିଏ କିଏ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।
ସ୍ଥାନୀୟ ଅଞ୍ଚଳର କିଏ କିଏ ଏହି ରାକେଟ୍ ପଛରେ ଅଛନ୍ତି ସେ ନେଇ ବର୍ତ୍ତମାନ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ତନାଘନା କରୁଛି। ଗୋଟିଏ ମାସ ମଧ୍ୟରେ ଏହା ଦ୍ବିତୀୟ ଚଢଉ। ୨ ଥର ଯାକ ହୀରାକୁଦ ବନ୍ୟପ୍ରାଣୀ ବିଭାଗକୁ ସଫଳତା ମଧ୍ୟ ମିଲିଛି। ଯାହା ଡେବ୍ରିଗଡ଼ ମଧ୍ୟରେ ଏବେ ବି ବେଧଡ଼କ ଭାବେ ବନ୍ୟଜନ୍ତୁ ଶିକାର କରାଯାଉଥିବା ଚର୍ଚ୍ଚାକୁ ଏକ ପ୍ରକାର ସତ ବୋଲି ପ୍ରମାଣ କରୁଛି। ଗତ ଅଗଷ୍ଟ ମାସରେ ପୁଲିସ ଓ ହୀରାକୁଦ୍ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ ଚଢଉ କରି କଲରାପତରିଆ ବାଘ ନଖ, ଛାଲ, ଜଙ୍ଗଲୀ କୁକୁର ଚାଲ ଆଦି ଜବତ କରିବା ସହ ଜଣକୁ ଗିରଫ କରିଥିଲା।
The post ଡେବ୍ରିଗଡ଼ ଅଭୟାରଣ୍ୟରୁ ଧରାପଡ଼ିଲା ସମ୍ବର ଓ ଗୋଧି ଚମଡ଼ା, ୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3CslAnz
0 Comments