ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟାଙ୍କ ଘୋଷଣା
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୨୫ କୋଟିର ଅନୁଦାନ ଶୀଘ୍ର
ଜବରଦଖଲକାରୀଙ୍କ କବଳରୁ ୧୦ ଏକର ଉଦ୍ଧାର କରାଯାଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି; ଆହୁରି ଦିଆଯିବ
ୟୁଜିସି ଅନୁଦାନ ପାଇଁ ସର୍ବନିମ୍ନ ଯୋଗ୍ୟତା ନିମନ୍ତେ ୧୦୦ ଏକରର ବ୍ୟବସ୍ଥା ଖୁବ୍ ଶୀଘ୍ର
ସ୍ଥାନୀୟ ସମ୍ପଦର ସୁବିନିଯୋଗ ପାଇଁ ଦକ୍ଷତା ବିକାଶର ଶ୍ରେଷ୍ଠ ପୃଷ୍ଠପୋଷକ ହେଉ ବିଶ୍ବବିଦ୍ୟାଳୟ: ଅଜିତ ମିଶ୍ର

ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଅଭିବୃଦ୍ଧି ପାଇଁ ନିକଟ ଅତୀତରେ ଅନେକ ପଦକ୍ଷେପ ନିଆଯାଇଛି। ଆଗକୁ ଏହାକୁ ଅବ୍ୟାହତ ରଖାଯିବ। ବିଶ୍ବବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ଟଙ୍କା ଦିଆଯାଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁସାରେ ୨୫ କୋଟି ଟଙ୍କାର ଅନୁଦାନ ଖୁବ୍‌ ଶିଘ୍ର ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧକ୍ଷ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି। ବୁଧବାର ପୂର୍ବାହ୍ନରେ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଏହି କଲେଜର ପୁରାତନ ଛାତ୍ର ଶ୍ରୀ ତ୍ରିପାଠୀ କହିଲେ, ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନଟି ବିଶ୍ବବିଦ୍ୟାଳୟକୁ ଉନ୍ନୀତ ହେବାପରେ ଏହାର ଜମିଜମା ସମ୍ପର୍କିତ ଭିତ୍ତିଭୂମିକୁ ନେଇ ଯେଉଁ ସମସ୍ୟା ଦେଖାଦେଇଥିଲା ତାକୁ ସରକାର ସମାଧାନ କରୁଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ତା’ର ଜମି ପଟ୍ଟା ମିଳିବ। ନିକଟରେ ଜବରଦଖଲକାରୀଙ୍କ କବଳରୁ ୧୦ ଏକର ଜମି ମୁକ୍ତ କରାଯାଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ବୋଲି ଜିଲ୍ଲାପାଳ ତାଙ୍କୁ କହିଥିବା ସେ ସୂଚନା ଦେଇଥିଲେ। ସ୍ୟାଟେଲାଇଟ୍ କ୍ୟମ୍ପସ୍ ସ୍ଥାପନ ପାଇଁ ଅବଶିଷ୍ଟ ୫୦ ଏକର ଜମି ଯୋଗାଇ ଦିଆଯାଇ ୟୁଜିସିର ସର୍ବନିମ୍ନ ୧୦୦ ଏକର ମାପଦଣ୍ଡର ଯୋଗ୍ୟତା ହାସଲ କରାଯିବ ବୋଲି ସେ କହିଥିଲେ। ଆଲୁମ୍ନି ତରଫରୁ ବିଶ୍ବବିଦ୍ୟାଳୟର ଜମି ସମସ୍ୟା ଓ ବିକାଶ ସମ୍ପର୍କରେ ତାଙ୍କୁ ନିୟମିତ ଅବଗତ କରାଯାଉଥିବା ନେଇ ସେ ସୂଚନା ଦେଇଥିଲେ। ସେହି ଅନୁସାରେ ଅନୁଷ୍ଠାନର ବିକାଶ ପାଇଁ ନିରନ୍ତର ପ୍ରୟାସ ଚାଲିଥିବା ପ୍ରକାଶ କରିଥିଲେ। ସେହିପରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ନେଇ ସମସ୍ତ ସଂଶୟ ଦୂର କରାଯାଇଥିବାରୁ ଖୁବ୍‌ ଶିଘ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ସେ ଆଶାପ୍ରକାଶ କରିଥିଲେ। କୋଭିଡ୍ କଟକଣା ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ ପରିସରରେ ଅଳ୍ପ ଅତିଥିଙ୍କୁ ନେଇ ଅନୁଷ୍ଠିତ ଏହି ଉତ୍ସବରେ କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ପୈାରୋହିତ୍ୟ କରି ବିଶ୍ବବିଦ୍ୟାଳୟ ଅଭିବୃଦ୍ଧିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କୁଳସଚିବ ଡ.ଦୁର୍ଗାପ୍ରସନ୍ନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଉପାଧ୍ୟୁତ୍ତର ପରିଷଦର ଅଧ୍ୟକ୍ଷା ଦୀପ୍ତିମଂଜରୀ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ପବିତ୍ର ମୋହନ ଦେବତା ଓ ଅଧ୍ୟାପିକା ସୁମନ ବିନ୍ଦୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କଲେଜ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଘ୍ନେଶ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ପକ୍ଷରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ବହୁ ପୁରାତନ ଛାତ୍ର ଭର୍ଚୁଆଲ୍ ମୋଡ୍‌ରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଧନ୍ଦାମୂଳକ ପ୍ରଶିକ୍ଷଣ ପାଇଁ ବିଶ୍ବବିଦ୍ୟାଳୟ କାର୍ଯ୍ୟ କରୁ: ଅଜିତ ମିଶ୍ର
ସେ ପାଠ ପଢ଼ିଥିବା କଲେଜଟି ଆଜି ଅଧ୍ୟାପକ, ଗବେଷକ ଓ ସ୍ଥାନୀୟ ଉଦ୍ୟୋକ୍ତାଙ୍କ ଏକ ବୃହତ୍ ସମଷ୍ଟିରେ ପରିଣତ ହୋଇଥିବା ଅତ୍ୟନ୍ତ ଆନନ୍ଦର କଥା ବୋଲି ଏହାର ପୁରାତନ ଛାତ୍ର ତଥା ଅର୍ଥନୈତିକ ଅଭିବୃଦ୍ଧି ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଦିଲ୍ଲୀରେ ଅବସ୍ଥାପିତ ଥିବ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଅଜିତ ମିଶ୍ର କହିଛନ୍ତି। ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟରେ ୧୯୭୬ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ପ୍ରଫେସର ମିଶ୍ର କହିଲେ, ପ୍ରଯୁକ୍ତି ବିଦ୍ୟାର ଉତ୍ତରଣ ଯୋଗୁଁ ଆଜିକାଲି ତଥ୍ୟ ସହଜରେ ଉପଲବ୍‌ଧ ହେଉଛି ସତ, ହେଲେ ପାରସ୍ପରିକ ଜ୍ଞାନ ବିନିମୟ ଜରିଆରେ ସେଗୁଡ଼ିକର ବିଶ୍ଳେଷଣାତ୍ମକ ଗବେଷଣା କଲେ ଯାଇ ବିଶ୍ବବିଦ୍ୟାଳୟଗୁଡ଼ିକ ଦକ୍ଷତା ବିକାଶ କାର୍ଯ୍ୟରେ ବ୍ରତୀ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ। ତେଣୁ ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ସମ୍ପଦର ସୁବିନିଯୋଗ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରକ୍ରିୟାର ମୁଖ୍ୟ ପୃଷ୍ଠପୋଷକ ହେବା ବିଧେୟ। ତେବେ ଭାରତରେ ୨୦୧୭ ପରଠାରୁ ୨୫୮ ନିୟୁତ ଡଲାର ଅର୍ଥରାଶି ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହୋଇଥିଲେ ହେଁ ଉଦ୍ୟମିତା କ୍ଷେତ୍ରରେ ଭାରତର ବିଶ୍ବର ଶ୍ରେଷ୍ଠ ସ୍ଥାନଗୁଡ଼ିକ ଦଖଲ କରିବାକୁ ହେଲେ ଆହୁରି ଅନେକ ସମୟ ଲାଗିବ ବୋଲି ସେ ଚିନ୍ତାବ୍ୟକ୍ତ କରିଥିଲେ। ସଂଯୋଗ ବଶତଃ ତାଙ୍କ ଜନ୍ମଦିନରେ ସେ ପଢ଼ିଥିବା ଏହି ଅନୁଷ୍ଠାନଟିର ପ୍ରତିଷ୍ଠା ଦିବସ ପାଳନ ହେଉଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ସେହିପରି ନିଜ ସ୍କୁଲ୍ ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢ଼ିବା ସମୟର ମଧ୍ୟ ସେ ସଂକ୍ଷିପ୍ତ ସ୍ମୃତିଚାରଣ କରିଥିଲେ।

The post ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୩ ମାସରେ ଜମି ପଟ୍ଟା ମିଳିବ first appeared on Sambad.

from ଜିଲ୍ଲା | Sambad https://ift.tt/3mRlvVS