ନିର୍ଯାତନା ମାମଲାରେ ୩ ଜଣଙ୍କୁ ରିମାଣ୍ଡରେ ଆଣିଲା ପୁଲିସ
ଏସ୍‌ପିଙ୍କୁ ଭେଟିଲା ଆନ୍ତର୍ଜାତିକ ମାନବାଧିକାର କାଉନ୍‌ସି

ଖୋର୍ଦ୍ଧା : ମାନବବାଦୀ ସଂଗଠନର ଆଉ ଏକ ଜଘନ୍ୟ କାଣ୍ତ ପଦାରେ ପଡ଼ିଛି। ସଂଗଠନର ବୈଠକକୁ ନ ଆସିବାରୁ ଦୁଇଟି ପରିବାରର ସମସ୍ତ ସମ୍ପତ୍ତି ଲୁଣ୍ଠନ କରି ମାଡ଼ମାରି ଗାଁରୁ ତଡ଼ିଦେଇଥିଲେ। ଏହି ବିସ୍ଥାପିତ ପରିବାର ଆଜି ମୁହଁ ଖୋଲିଛନ୍ତି। କେହି ନ ଶୁଣିବାରୁ ଭାଗ୍ୟକୁ ଆଦରି ଏବେ ହଳଦିଆରେ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା କହିଛନ୍ତି। ଆଜି ଆନ୍ତର୍ଜାତିକ ମାନବାଧିକାର କାଉନ୍‌ସିଲର ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ନିର୍ଯାତନା ମାମଲାରେ ପୁଲିସ ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ତରେ ଆଣି ପଚରା ଉଚରା କରୁଛି।

ସୂଚନା ଅନୁସାରେ ଗଡ଼ହଳଦିଆ କୁଆପୁଟ-ଦଣ୍ଡେଇସାହିର ସୁମନ୍ତ ସ୍ବାଇଁ ଓ ଦେବରାଜ ସ୍ବାଇଁଙ୍କ ପରିବାରର ୧୫ ଜଣ ସଦସ୍ୟ ଅଛନ୍ତି। ୨୦୧୪ରେ ତାଙ୍କ ଘର ନିର୍ମାଣକୁ ନେଇ ପେଡ଼ାଶୀଙ୍କ ସହ ବିବାଦ ହୋଇଥିଲା। ଏହି କଥା ମାନବବାଦ ସଂଗଠନ ନିକଟକୁ ଗଲା। ବିଚାର ପାଇଁ ମାନସ ଦାସ ସେମାନଙ୍କୁ ଡାକିଥିଲେ। କିନ୍ତୁ ସୁମନ୍ତଙ୍କ ପରିବାର ଶିକ୍ଷିତ ହୋଇଥିବାରୁ ପୁଲିସ ଓ ରାଜସ୍ବ ବିଭାଗର ସହାୟତା ନେଇଥିଲେ। ଏହାର କିଛିଦିନ ପରେ, ଜୁଲାଇ ୨୨ ତାରିଖରେ, ତାଙ୍କ ଗାଁରେ ଖୋଦ୍‌ ମାନସ ଦାସର ଉପସ୍ଥିତିରେ ୩-୪ ହଜାର ଲୋକଙ୍କୁ ନେଇ ଏକ ସଭା ହୋଇଥିଲା। ଏହି ସଭା ପରେ ରାତିରେ ଗାଁର ବିଜୟ ସ୍ବାଇଁ, ଫକୀର ସ୍ବାଇଁ, ପ୍ରଦୀପ ସ୍ବାଇଁଙ୍କ ସହ ମାନବବାଦ ସଂଗଠନର ଅନ୍ୟ ସଦସ୍ୟମାନେ ତାଙ୍କ ଘରକୁ ଘେରି ଟେକାପଥର ଫିଙ୍ଗିବା ସହ ଘରେ ଥିବା ସମସ୍ତ ସମ୍ପତ୍ତି ଲୁଟି ନେଇଯାଇଥିଲେ। ଏହାପରେ ଦୁଇଭାଇଙ୍କ ପରିବାର ଗାଁ ଛାଡ଼ି ଚାଲିଆସିଥିଲେ। ସେମାନେ ଆସିବା ପରେ ତାଙ୍କ ଘରକୁ ମାନବବାଦୀ ସଂଗଠନର କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଥିଲା। ଏନେଇ ସେମାନେ ୨୦୧୫ ଯାଏଁ ଖୋର୍ଦ୍ଧା ଟାଉନ୍ ଥାନା, ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଏକାଧିକ ଥର ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ। ତଦନ୍ତ ମଧ୍ୟ ହୋଇଥିଲା, କିନ୍ତୁ ସେମାନଙ୍କୁ କୌଣସି ନ୍ୟାୟ ମିଳିପାରିଲା ନାହିଁ। ମାନବବାଦୀ ସଂଗଠନର ଭୟରେ ସେମାନେ ନିଜ ଘରକୁ ଫେରିପାରିଲେ ନାହିଁ। ବର୍ତ୍ତମାନ ବଡ଼ଭାଇ ସୁମନ୍ତ ସ୍ବାଇଁ ହଳଦିଆ ହରିଜନ ସାହିରେ ତାଙ୍କ ପିଉସିଙ୍କ ଘରେ ରହୁଛନ୍ତି। ଦେବରାଜ ବାଜପୁରରେ ରହୁଛନ୍ତି। ଆଜି ହଳଦିଆ ହରିଜନ ସାହିରେ ଏକାଠି ହୋଇ ସେମାନେ ସାମ୍ବାଦିକମାନଙ୍କ ଆଗରେ ନିଜ ଦୁଃଖ କାହାଣୀ କହିଛନ୍ତି।

ଆଜି ଆନ୍ତର୍ଜାତିକ ମାନବାଧିକାର କାଉନ୍‌ସିଲର ସଭାପତି ସସ୍ମିତା ଦାସ, ସଦସ୍ୟ ସସ୍ମିତା ସାହୁ, ରାଜ କିଶୋର ବେହେରା, ଆଦିତ୍ୟ ମହାପାତ୍ର ପ୍ରମୁଖ ଖୋର୍ଦ୍ଧା ଗ୍ରାମାଞ୍ଚଳ ଏସ୍‌ପି ରାଜକିଶୋର ଦୋରାଙ୍କୁ ସାକ୍ଷାତ କରି ଏହି ସଂଗଠନ ବିରୋଧରେ ତୁରନ୍ତ ପଦକ୍ଷେପ ନେବା ସହ ସଂଗଠନ ଓ ମାନସ ଦାସର କାର୍ଯ୍ୟକଳାପକୁ ତଦନ୍ତର ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି।

ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ମାନବବାଦୀ ସଂଗଠନର ସଦସ୍ୟଙ୍କ ଦ୍ବାରା ଶାରୀରିକ ନିର୍ଯାତନା ଦିଆଯିବା ମାମଲାରେ ପୁଲିସ ୩ଜଣଙ୍କୁ ରିମାଣ୍ତରେ ଆଣିଛି। ଏନେଇ ଏସ୍‌ପି ରାଜ କିଶୋର ଦୋରା କହିଛନ୍ତି ଯେ ସତ୍ୟବ୍ରତ ନାୟକଙ୍କ ହତ୍ୟା ମାମଲା (ନମ୍ବର ୧୪୯/୨୧)ରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରାଯାଇଥିଲା। ଏହା ମଧ୍ୟରୁ ୩ ଜଣ ମାମଲା ନମ୍ବର ୧୬୬/୨୧ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲା ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ପୁଲିସ ପକ୍ଷରୁ ସ୍ବପ୍ନେଶ୍ବର ନାୟକ, ବୈକୁଣ୍ଠ ନାୟକ, ଟୁଲୁ ବେହେରାଙ୍କୁ ୪ ଦିନ ରିମାଣ୍ତରେ ଆଣିବାକୁ ଆବେଦନ କରାଯାଇଥିଲା। ଆଜି କୋର୍ଟ ସେମାନଙ୍କୁ ୩ ଦିନିଆ ରିମାଣ୍ତ ପାଇଁ ଅନୁମତି ଦେଇଛି।

The post ମାନବବାଦୀ ସଂଗଠନ ବିରୋଧରେ ଆଉ ଏକ ଅଭିଯୋଗ: ବୈଠକକୁ ନ ଆସିବାରୁ ଗାଁରୁ ତଡ଼ିଦେଲେ first appeared on Sambad.

from ଜିଲ୍ଲା | Sambad https://ift.tt/3zEFH0O