ସୁନ୍ଦରଗଡ଼: ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ଆର୍ଥିକ ଭାବେ ସଶକ୍ତ କରୁଛନ୍ତି ଓଡ଼ିଶା ସରକାର। ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ ଏସ୍‌ଏଚ୍‌ଜି ମହିଳାଙ୍କୁ ବୀମାଭୁକ୍ତ କରାଯିବ। ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ସୁନ୍ଦରଗଡ଼ ଜିଲ୍ଲାର ୨୭ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କୁ ଏହି ସୁବିଧାର ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ଅଗଷ୍ଟ ୨୭ ତାରିଖରୁ ୬ ଦିନିଆ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏଥିରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରହିଛି। ପିଏମ୍‌ଜେଜେବିୱାଇରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ବ୍ୟବସ୍ଥା ରହିଛି।

ସେହିପରି ପିଏମ୍‌ଏସ୍‌ବିୱାଇ ଅଧୀନରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ଯୋଗାଇ ଦେଉଛନ୍ତି ସରକାର। ଏସଏଚଜି ମହିଳାମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ସହ ସେମାନେ କିପରି ଆର୍ଥିକ ଅନ୍ତର୍ଭୁକ୍ତିରୁ ସୁବିଧା ପାଇବେ, ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହା ଫଳରେ ସେମାନଙ୍କୁ ଜୀବନ ବୀମା ମିଳିବା ସହିତ କୌଣସି ଦୁର୍ଘଟଣା କ୍ଷେତ୍ରରେ ମଧ୍ୟ ଆର୍ଥିକ ସୁରକ୍ଷା ମିଳିପାରିବ। ଏହା ସହିତ ପେନସନ ଯୋଜନାରେ ମଧ୍ୟ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସାମିଲ କରିବା ଲାଗି ପଦକ୍ଷେପ ନିଆଯାଉଛି।

ବୀମାଧାରୀମାନେ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ବୀମା ପ୍ରିମିୟମ ପୈଠ କରିପାରିବେ। ହିତାଧିକାରୀମାନଙ୍କୁ ପିଏମ୍‌ଜେଜେବିୱାଇ ଅଧୀନରେ ବାର୍ଷିକ ୩୩୦ ଟଙ୍କା ଓ ପିଏମ୍‌ଏସ୍‌ବିୱାଇରେ ବାର୍ଷିକ ମାତ୍ର ୧୨ ଟଙ୍କାର ପ୍ରିମିୟମ ଦେବାକୁ ହେବ। ଯେଉଁମାନଙ୍କର ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ନାହିଁ, ସେମାନଙ୍କ ପାଇଁ ଆକାଉଣ୍ଟ ଖୋଲିବାରେ ସହଯୋଗ କରିବା ପାଇଁ ଗ୍ରାମପଂଚାୟତ ସ୍ତରରେ ହେଲ୍‌ପ ଡେସ୍କ କରାଯାଇଛି। ବ୍ୟାଙ୍କ ଖାତା ଖୋଲିବା ଲାଗି ସେପ୍ଟେମ୍ବର ୨ରୁ ୭ ତାରିଖ ଯାଏଁ ବିଭିନ୍ନ ବ୍ୟାଙ୍କରେ ସ୍ୱତନ୍ତ୍ର ହେଲ୍‌ପ ଡେସ୍କ ଖୋଲାଯିବ।

୨୦୨୧-୨୨ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ପିଏମ୍‌ଜେଜେବିୱାଇରେ ୧ ଲକ୍ଷ ୮୦ ହଜାର ୫୮୯ ଏବଂ ପିଏମ୍‌ଏସ୍‌ବିୱାଇରେ ୨ ଲକ୍ଷ ୫ ହଜାର ୨୦୧ ଜଣ ଏସ୍‌ଏଚ୍‌ଜି ମହିଳାଙ୍କୁ ବୀମାଭୁକ୍ତ କରାଯିବାର ଲକ୍ଷ୍ୟ ରହିଛି। ପିଏମ୍‌ଜେଜେବିୱାଇରେ ପୂର୍ବରୁ ସାମିଲ ହୋଇଥିବା ୭୧ ହଜାର ୭୭୫ ଜଣ ଏସ୍‌ଏଚ୍‌ଜି ମହିଳାଙ୍କ ବୀମାର ନବୀକରଣ କରାଯିବା ସହ ନୂଆକରି ୧ ଲକ୍ଷ ୮ ହଜାର ୮୧୪ ଜଣଙ୍କୁ ବୀମାଭୁକ୍ତ କରାଯିବ।

ସେହିପରି ପିଏମ୍‌ଏସ୍‌ବିୱାଇରେ ପୂର୍ବରୁ ସାମିଲ ହୋଇଥିବା ୮୮ ହଜାର ୯୦୧ ଜଣ ଏସ୍‌ଏଚ୍‌ଜି ମହିଳାଙ୍କ ବୀମାର ନବୀକରଣ ସହ ନୂଆକରି ୧ ଲକ୍ଷ ୧୬ ହଜାର ୩୦୦ ଜଣ ଏସ୍‌ଏଚ୍‌ଜି ମହିଳା ବୀମାଭୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପାଇଁ ବୟସ ସୀମା ୧୮ରୁ ୫୦ ବର୍ଷ ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୮ରୁ ୭୦ ବର୍ଷ ରହିଛି। ସେହିପରି ୬୦ ବର୍ଷ ବୟସ ପରେ ପେନସନ ନେବାକୁ ଚାହୁଁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଅଟଳ ପେନସନ ଯୋଜନାରେ ସାମିଲ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୨୧୫୦ ଜଣ ଏସ୍‌ଏଚ୍‌ଜି ମହିଳାଙ୍କୁ ଏହି ଯୋଜନାଭୁକ୍ତ କରାଯିବାକୁ ଲକ୍ଷ୍ୟ ରହିଛି।

The post ସୁନ୍ଦରଗଡ଼ ଜିଲ୍ଲାର ଶତ ପ୍ରତିଶତ ଏସ୍‌ଏଚ୍‌ଜି ମହିଳାଙ୍କୁ ବୀମାଭୁକ୍ତ କରାଯିବ first appeared on Sambad.

from ଜିଲ୍ଲା | Sambad https://ift.tt/3BvaVYB