ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ହାର ୩୭.୪ ପ୍ରତିଶତ। ଯେତେ ପ୍ରକଳ୍ପରୁ ଜଳସେଚିତ କରାଯାଉଥିବା ଦର୍ଶାଯାଇଛି, ସେଥିରୁ କେତେ ସଚଳ ଓ କେତେ ଅଚଳ ତାହା କାହାକୁ ଜଣା ନାହିଁ। ପ୍ରକଳ୍ପ ସଂଖ୍ୟା ସବୁ ବର୍ଷ ବଢୁଛି ଓ ହାର ବି ବଢ଼ିଚାଲିଛି। ଯଦି ଏତେ ପରିମାଣର ଜଳସେଚନ ହେଉଛି, ତା’ହେଲେ ବାର ବାର ମରୁଡ଼ି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ।

କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ଜଳସେଚନ ହାର ୩୭.୪ ପ୍ରତିଶତ। ବୃହତ୍‌ ଜଳସେଚନ ପ୍ରକଳ୍ପ ୨ଟି ରହିଛି। ସେଥିରେ ୧୭ହଜାର ୩୮୬ ହେକ୍ଟର ଜମି ଜଳସେଚିତ ହେଉଛି। ମଧ୍ୟମ ଜଳସେଚନ ପ୍ରକଳ୍ପ ୩ଟିରୁ ୮ହଜାର ୩୫୫ ହେକ୍ଟର ଜମି ଜଳସେଚିତ ହେଉଛି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ୧୬୫ଟି ରହିଛି। ଯେଉଁଥିରେ ୨୧ହଜାର ୧୭୦ ହେକ୍ଟର ଜମି ଜଳସେଚିତ ହେଉଛି। ମେଗା ଲିଫ୍ଟ ୧୪ଟି ପ୍ରକଳ୍ପରୁ ୧୪ହଜାର ୯୪୭ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି। ଡଗ୍‌ୱେଲ, ବୋର୍‌ୱେଲ, କ୍ଲଷ୍ଟର ବୋର୍‌ୱେଲ, ମାଇକ୍ରୋ ଲିଫ୍ଟ, ରିଭର ଲିଫ୍ଟର ପ୍ରକଳ୍ପ ସଂଖ୍ୟା ପାଖାପାଖି ୧୫ହଜାର ରହିଛି। ସମୁଦାୟ ଜିଲ୍ଲାରେ ୧ଲକ୍ଷ ୨୯ହଜାର ୨୦୫ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦିଆଯାଉଥିବା ବିଭାଗୀୟ ତଥ୍ୟ କହୁଛି। ଯାହାକି ଜିଲ୍ଲାର ମୋଟ ଚାଷଜମିର ୩୭.୪ ପ୍ରତିଶତ। ଏତେ ପରିମାଣରେ ଜଳସେଚନ ସୁବିଧା ଯଦି ରହିଛି କେମିତି ସାରା ଜିଲ୍ଲାରେ ଚାଷୀଙ୍କ ଜମିର ମାଟି ଫାଟି ଆଁ କଲାଣି?

ପ୍ରକୃତରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦେଖିଲେ ଅନେକ ପ୍ରକଳ୍ପରୁ ଜମିକୁ ପାଣି ଯୋଗାଇ ଦିଆଯାଇପାରୁନି। ମେଗା ଲିଫ୍ଟ ପ୍ରକଳ୍ପ ଥିଲେ ବି ଅନେକାଂଶରେ ଚାଷ ଜମିକୁ ପାଣି ଯାଇପାରୁନି। କାରଣ କେଉଁଠି ନିର୍ମାଣ ସମୟରେ ତ୍ରୁଟି ତ ଆଉ କେଉଁଠି ନଦୀରେ ପାଣି ନଥିବାରୁ ସମସ୍ୟା ଏଥର ହୋଇଛି। ନିମ୍ନମାନର ମେସିନ ସବୁ ବି ଅନେକ ପ୍ରକଳ୍ପର ଖରାପ ହେଲାଣି। ଉଠାଜଳସେଚନ ବିଭାଗ ଯେତକ ବୋର୍‌ୱେଲ ସଂଖ୍ୟା ଦର୍ଶାଉଛି ସେଥିରୁ ଅନେକ ଆଉ ଚାଲୁନି। କ୍ଷୁଦ୍ର ଜଳସେଚନ ବିଭାଗର କଥା ନକହିବା ଭଲ। କାରଣ ପ୍ରତିବର୍ଷ ଏମ୍‌ଆଇପି ସବୁ ମରାମତି ଓ ଉନ୍ନୟନ କାମ ଦର୍ଶାଇ ଦୁର୍ନୀତି ହୁଏ। ଅନେକ ଦୁର୍ନୀତି ବିଭାଗର ସାମ୍ନାକୁ ବିଗତ ଦିନରେ ଆସିଛି। କିଛି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ବି ଆରମ୍ଭ ହେଲାଣି। ବୃହତ୍‌ ଓ ମଧ୍ୟମ ପ୍ରକଳ୍ପ ଯେଉଁ ୫ଟି ରହିଛି ସେଥିରୁ ଚାଷୀମାନେ କିଛି ଉପକୃତ ହେଉଛନ୍ତି। ଏଭଳି ଭାବରେ ଜିଲ୍ଲାରେ ଜଳସେଚନର ଶୋଚନୀୟ ଅବସ୍ଥା ଲାଗି ରହିଛି। ବର୍ଷା ହେଲେ ଧାନ ଚାଷ ହୁଏ। ନହେଲେ ଜିଲ୍ଲାରେ ନିଶ୍ଚିତ ମରୁଡ଼ି। ଆଉ ଏଥର ପୁଣି ଚାଷୀ ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି।

ଅପରପକ୍ଷେ, ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜମି ଜଳସେଚିତ ହୋଇଛି ବୋଲି ଜଣେ ଚାଷୀ ପ୍ରଶ୍ନ ଉଠାଇଛନ୍ତି।

The post ପ୍ରଶ୍ନ ଉଠାଇଲେ ବଲାଙ୍ଗୀର ଚାଷୀ: ୩୭.୪% ଜଳସେଚନ, ମରୁଡ଼ି କାହିଁକି? first appeared on Sambad.

from ଜିଲ୍ଲା | Sambad https://ift.tt/3ByzJin