
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଭରି ରହିଛି ଖଣିଜ ପଦାର୍ଥ। ଏହି ଖଣିଜ ପଦାର୍ଥ ଉପରେ ପ୍ରଶାସନର ନଜର ପଡିବା ପୂର୍ବରୁ ଖଣି ମାଫିଆ ମାନଙ୍କର ନଜର ପଡିଛି। ଦିନ ଦ୍ବୀପହରରେ ମୂଲ୍ୟବାନ ଖଣିଜ ପଦାର୍ଥ ଲୁଟ ତାହା ପୁଣି ଜାତୀୟ ରାଜପଥ ୩୨୬ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ। ଏହି ଲୁଟ ହେଉଛି ମୋଟୁ ତହସିଲ ଅନ୍ତର୍ଗତ କୁନାଲପାଲି ଗ୍ରାମ ନିକଟରେ। ମୋରମ ଖାଦନ ଭିତରେ ରହିଥିବା ଧଳା କ୍ବାଟ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆମାନଙ୍କର। ଅଶିକ୍ଷିତ ଗାଁ ଗୁଡିକରେ ଅଳ୍ପ କିଛି ଟଂକା ଦେଇ ସେମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ତେଲେଙ୍ଗାନା ମାଫିଆ ମାନେ। କୁନାଲପାଲୀ ଗ୍ରାମରେ ରହିଥିବା ଏହି କ୍ବାଟର୍ସ ପଥରର ସନ୍ଦାନ ପାଇଥିଲେ ତେଲେଙ୍ଗାନାର ମାଫିଆ ମାନେ।
ଏହି ଗ୍ରାମକୁ ଗତ ତିନି ଚାରି ମାସ ତଳେ ଆସି ସର୍ଭେ କରିବା ପରେ ସେଠାରୁ ମୂଲ୍ୟବାନ କ୍ବାଟର୍ସ ପଥର ନେବା ପାଇଁ ଯୋଜନ ପସ୍ତୁତ କରିଥିଲେ। ଗ୍ରାମବାସୀଙ୍କୁ ମଦ, ମାଂସ ଏବଂ ଟଂକା ଦେଇ ଏଠାରୁ ମୂଲ୍ୟବାନ ପଥର ନେବାକୁ ଯୋଜନା କରି ସାରିଛନ୍ତି। କୁନାଲପାଲି ଗ୍ରାମ ନିକଟରେ ରହିଥିବା ମୋରମ ପାହାଡ ଭିତରେ ରହିଛି ଏହି ଧଳା ହୀରା। ମାଫିଆ ମାନେ ବଡବଡ ଗାଡି ଆଣି ପଥରକୁ ଖଣ୍ଡଖଣ୍ଡ କରି ଗଦା କରିଛନ୍ତି। ଆଉ କିଛି ମାଲକୁ ଚାଲାଣ ମଧ୍ୟ କରି ସାରିଲେଣି। ବେଆଇନ ଭାବେ ଏଠାରେ ପଥର ଖାଦାନ କରାଯାଉଥିବା ଖବର ପ୍ରଶାସନ ନିକଟରେ ନାହିଁ। ତେବେ ଏହି ପଥର ନେବା ପୂର୍ବରୁ ପାହାଡ ପର୍ଯ୍ୟନ୍ତ ମାଫିଆ ମାନେ ମୋରମ ପକାଇ ରାସ୍ତା ମଧ୍ୟ ତିଆରି କରି ସାରିଛନ୍ତି। ଟ୍ରାକ୍ଟର ସାହାଯ୍ୟରେ ସେମାନେ ଏହି ପଥରକୁ ନେଇ ଅନ୍ୟ ଏକ ସ୍ଥାନରେ ଗଦା ମଧ୍ୟ କଲେଣି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ମାଫିଆ ମାନେ ଗ୍ରାମବାସୀଙ୍କୁ ଏହି ପଥର ଖାଦାନର ଟେଣ୍ଡର ପାଇଥିବା ମିଥ୍ୟା କହି ସେମାନଙ୍କୁ ବୁଝାଇ ପଥର ନେବାକୁ ମସୁଧା କରିଥିବା ଜଣାପଡିଛି।
ତେବେ ଏହି ଗ୍ରାମର ଲୋକେ କୋୟା ସଂପ୍ରଦାୟର ହୋଇଥିବା ବେଳେ ଅଶିକ୍ଷିତ ରହିଛନ୍ତି। ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ରାଜି ହୋଇ ଯାଇଥିଲେ। ତେବେ ଏନେଇ ଭୁବନପାଲୀ ପଞ୍ଚାୟତର ସରପଞ୍ଚ ଦେବ ମାଡକାମୀଙ୍କୁ ପଚାରିବାରୁ ସେ ଏହି ପଥର ଖାଦାନକୁ ହାଇଦ୍ରାବାଦ ନିଆଯାଉଥିବା କହିଥିଲେ। ତେବେ ମାଫିଆ ମାନେ ତାଂକ ସହ ମଧ୍ୟ କଥାବାର୍ତ୍ତା ହୋଇଥିବା କହିଥିଲେ। ଗ୍ରାମବାସୀ ଏହି ମୂଲ୍ୟବାନ ପଥର ଖାଦାନ ବିଷୟରେ ଜାଣିନଥିବା ଯୋଗୁଁ ସେମାନେ ଏହାକୁ ପ୍ରତିରୋଧ ମଧ୍ୟ କରି ନଥିଲେ। ଗତ ତିନି ଚାରି ମାସ ହେଲା ମାଫିଆ ମାନେ ଏହି ପଥର ଖାଦାନକୁ ଖୋଳି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଜାତୀୟ ରାଜପଥ ଠାରୁ ମାତ୍ର ଦୁଇ କିଲୋମିଟର ଦୁରରେ ଏହି ମୂଲ୍ୟବାନ ପଥର ଖନନ ହେବା ସହ ଏହାକୁ ପଡୋଶୀ ତେଲେଙ୍ଗାନାର ହାଇଦ୍ରାବାଦକୁ ଚାଲାଣ ସମୟରେ ମୋଟୁ ସହସିଲ ସମେତ ଏମଭି-୭୯, ମୋଟୁ ଥାନା ଦେଇ ଅତିକ୍ରମ କରୁଛି। ତାହା ସତ୍ବେ ମଧ୍ୟ କେହି ଏହି ଚାଲାଣ ସଂପର୍କରେ ଟେର ମଧ୍ୟ ପାଇ ପାରିଲେ ନାହିଁ। ଖୁଲମଖୁଲା ଲୁଟ କରିଚାଲିଛି ତେଲେଙ୍ଗାନାର ମାଫିଆ। ତେବେ ଏନେଇ ଜିଲ୍ଲାପାଳ ବିଶାଲ ସିଂହଙ୍କୁ ପଚାରିବାରୁ ସେ ଏହି ଖବର ପାଇନଥିବା ବେଳେ ତୁରନ୍ତ ତଦନ୍ତ କରିବେ ବୋଲି କହିଥିଲେ। ଅନ୍ୟଦିଗରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୋଟୁ ତହସିଲ ସହ କଥାବାର୍ତ୍ତା କରି ଏହି ଚାଲାଣକୁ ରୋକ ଲଗାଇବେ ବୋଲି କହିଥିଲେ।
The post ପ୍ରଶାସନର ନାକ ତଳେ ଚାଲିଛି ମୂଲ୍ୟବାନ ପଥର ଲୁଟ, ତେଲେଙ୍ଗାନା ମାଫିଆଙ୍କ କ୍ବାଟର୍ସ ଉପରେ ଲୋଲୁପ ଦୃଷ୍ଟି first appeared on Sambad.from ଜିଲ୍ଲା | Sambad https://ift.tt/3BAtlXS
0 Comments