ଶିମିଳିପାଳକୁ ମିଳିନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା: ଏବେ ବି ପ୍ରସ୍ତାବିତ ଅଞ୍ଚଳରେ ରହିଛନ୍ତି ୨ ଗ୍ରାମର ୬୪ ପରିବାର

ବାରିପଦା: ବିଶ୍ବ ପ୍ରସିଦ୍ଧ ଶିମିଳିପାଳକୁ ଏ ପର୍ଯ୍ୟନ୍ତ ମିଳିପାରିନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା। ରାଜ୍ୟ ସରକାରଙ୍କ ନୋଟିଫିକେସନ୍‌ ନଂ ୧୮୭୦୩-୬/୮/୮୦ ଏବଂ ୧୯୨୫ -୧୧/୬/୧୯୮୬ ଅନୁସାରେ ଶିମିଳିପାଳ ଅଭୟାରଣ୍ୟର ମୋଟ ୨୩୦୬. ୬୧ ବର୍ଗ କିମି ମଧ୍ୟରୁ ୮୪୫. ୭୦ ବର୍ଗ କିମି ଅଞ୍ଚଳକୁ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି। ମାତ୍ର ଜାତୀୟ ଉଦ୍ୟାନ ପ୍ରସ୍ତାବିତ ଅଞ୍ଚଳରୁ ବିସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇନାହିଁ। ତେଣୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବାରେ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଆଜି ବିଧାନସଭାରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଜାତୀୟ ଉଦ୍ୟାନ ଘୋଷଣା ନେଇ ରହିଥିବା ମାନଦଣ୍ଡ ଆଦିକୁ ନେଇ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି, କୌଣସି ସ୍ଥାନ ବା ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ଘୋଷଣା କରିବା ପାଇଁ ଉକ୍ତ ସ୍ଥାନ ସମ୍ପୂର୍ଣ୍ଣ ଜନବସତି ଓ ଗୃହପାଳିତ ପଶୁ ଶୂନ୍ୟ ତଥା ସେମାନଙ୍କ ବିଚରଣରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ଆବଶ୍ୟକ। ମାତ୍ର ଶିମିଳିପାଳର ପ୍ରସ୍ତାବିତ ଅଞ୍ଚଳରେ ଏବେ ମଧ୍ୟ ଗ୍ରାମ ଓ ଜନବସତି ରହିଛି। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମାନଦଣ୍ଡକୁ ପୂରଣ କରି ପାରୁନାହିଁ। ଶିମିଳିପାଳ କୋର୍‌ ଏରିଆ ମଧ୍ୟରେ ଥିବା ୬ଟି ଗ୍ରାମ ମଧ୍ୟରୁ ଜେନାବିଲ, ଯମୁନାଗଡ଼, କବାଟଘାଇ ଓ ବକୁ୍ଆ ଗାଁ ରାଜସ୍ବ ଗ୍ରାମ ହୋଇଥିବା ବେଳେ ବାରହାକାମୁଡ଼ା ଓ ବାହାଘର ଗ୍ରାମ ଦୁଇଟି ବନ୍ଦୋବସ୍ତ ଗାଁ ଥିଲା। ଜେନାବିଲ, କବାଟଘାଇ, ବାରହା କାମୁଡ଼ା ଓ ବାହାଘର ଗ୍ରାମ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତରିତ କରାଯାଇଛି। ଯମୁନାଗଡ଼ ଗାଁର ୪୬ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ଏବେ ବି ଶିମିଳିପାଳ କୋର ଏରିଆର ବକୁଆ ଓ ଯମୁନାଗଡ଼ ଭଳି ୨ଟି ଗ୍ରାମର ୬୪ ପରିବାର ବସବାସ କରୁଛନ୍ତି। ଏଥିମଧ୍ୟରୁ ବକୁଆ ଗ୍ରାମର ୬୧ ପରିବାର ଥିବା ବେଳେ ଯମୁନାଗଡ଼ ଗ୍ରାମର ୩ ପରିବାର ଅଛନ୍ତି। ଉପରୋକ୍ତ ଦୁଇଟି ଗ୍ରାମର ସମସ୍ତ ବାସିନ୍ଦା ସ୍ଥାନାନ୍ତରିତ ହେବା ପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ତେବେ ସ୍ଥାନାନ୍ତରଣ ପ୍ରକ୍ରିୟା ଏତେ ସହଜ ନୁହେଁ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ), ଭାରତ ସରକାରଙ୍କ ନିୟମ ଅନୁସାରେ ଶିମିଳିପାଳ କୋର୍‌ ଏରିଆରେ ବସବାସ କରୁଥିବା ପ୍ରତ୍ୟେକ ପରିବାର ସ୍ବଇଚ୍ଛାରେ ସ୍ଥାନାନ୍ତରଣ ପାଇଁ ଲିଖିତ ଭାବେ ଜଣାଇବା ପରେ ଗ୍ରାମସଭାର ଅନୁମୋଦନ ପରେ ଏନଟିସିଏ ପ୍ୟାକେଜ୍‌ ଅନୁସାରେ ସେଠାରୁ ଲୋକଙ୍କୁ ସ୍ବେଚ୍ଛାକୃତ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା ରହିଛି। ଏନେଇ ଜନ ସଚେତନତା ଜାରି ରହିଥିବା ମନ୍ତ୍ରୀ ବିଧାନସଭାରେ ଉଲ୍ଲେଖ‌ କରିଛନ୍ତି।

The post ଶିମିଳିପାଳକୁ ମିଳିନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା: ଏବେ ବି ପ୍ରସ୍ତାବିତ ଅଞ୍ଚଳରେ ରହିଛନ୍ତି ୨ ଗ୍ରାମର ୬୪ ପରିବାର first appeared on Sambad.

from ଜିଲ୍ଲା | Sambad https://ift.tt/38QJFYe

Post a Comment

0 Comments