ଝାରସୁଗୁଡ଼ା: ଚାଷ ଜମିକୁ ଜଳସେଚନ ପାଇଁ ନିର୍ମାଣ ହୋଇଛି ହୀରାକୁଦ ନଦୀ ବନ୍ଧ। ଏହି ନଦୀ ବନ୍ଧ ଯୋଗୁଁ  ବାସ୍ତୁହରା ହୋଇଥିବା ହଜାର ହଜାର ଚାଷୀ ପରିବାର ଆଜି ବି କ୍ଷତିପୂରଣ ନପାଇ ପ୍ରଶାସନ ପଛରେ ଦୌଡୁଛନ୍ତି। ଘରଦ୍ବାର, ଚାଷବାସ ସବୁ କିଛି ହରାଇ କ୍ଷତିଗ୍ରସ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି। ତେବେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ ଥିବା ହୀରାକୁଦ ବନ୍ଧରୁ ଏବ ଶିଳ୍ପ ପାଣି ଶୋଷୁଥିବା ବେଳେ ବହୁ ଶିଳ୍ପ ପାଣି ନେଇ ହଜାର ହଜାର କୋଟି ଟଙ୍କାର ଜଳକର ଫାଙ୍କିଛନ୍ତି। ଜଳକର ବାକି ରହିଥିବା ବହୁ ଶିଳ୍ପ ବନ୍ଦ ବି ହୋଇ ସାରିଲାଣି। ବନ୍ଦ ହୋଇ ଯାଇଥିବା ଶିଳ୍ପ ସଂସ୍ଥାରୁ ବକେୟା ଜଳକର ଆଉ ଆଦାୟ କରିବା ସମ୍ଭବ ନୁହେଁ। ଶିଳ୍ପ କାରଖାନା ପାଣି ଖର୍ଚ୍ଚ କରି ତାର ଦେୟ ନଦେଇ ବନ୍ଦ ହୋଇଯାଇ ଥିବାରୁ  ଜଳକର ବାବଦ ଟଙ୍କା ସରକାରୀ ଖାତାକୁ ଆସିପାରିନାହିଁ। ଚାଲୁଥିବା ଶିଳ୍ପ ସଂସ୍ଥାମାନେ ମଧ୍ୟ ଜଳ କର ଠିକ୍‌ ଭାବେ ପୈଠ କରୁନଥିବା ଅଭିଯୋଗ ହୋଇଛି। ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରି ଶିଳ୍ପ ଚଳାଉଥିବା ବିଭିନ୍ନ ସଂସ୍ଥା ଦିନରାତି ଏଠାରୁ ପାଣି ନେଉଥିବା ବେଳେ ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ। କେନାଲର ଶେଷ ମୁଣ୍ଡ ଯାଏ ପାଣି ଯାଇ ପାରୁନାହିଁ। ଚଳିତ ବର୍ଷ ବର୍ଷାଭାବ ଯୋଗୁଁ  ଖରିଫ ଚାଷ ବଞ୍ଚାଇବା କଷ୍ଟକର ହୋଇ ପଡ଼ିଥିବା ବେଳେ ମରୁଡ଼ିର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏବେ ଚାଷ କାର୍ଯ୍ୟ ଜଳାଭାବ ଯୋଗୁଁ ଠପ୍‌ ହୋଇଯାଇଛି। ହୀରାକୁଦ ପାଣି ଏହି ଅଞ୍ଚଳର ଚାଷ ପାଇଁ କୌଣସି କାମରେ ଆସୁନଥିବା ବେଳେ ଶିଳ୍ପ ସଂସ୍ଥା ଏହାର ପାଣିକୁ ଭରପୂର ଉପଯୋଗ କରୁଥିବା ଜଣାଯାଇଛି।

ଗତ ବିଧାନସଭାରେ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦେଇଥିବା ତଥ୍ୟ ଅନୁଯାୟୀ ହୀରାକୁଦରୁ ଜଳ ନେଇଥିବା ୧୦ଟି ଶିଳ୍ପ ସଂସ୍ଥା ଉପରେ ୧୦୨୪ କୋଟି ଟଙ୍କା ବାକି ପଡ଼ିଛି। ହୀରାକୁଦ ଜଳଭଣ୍ଡାରରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଥିବା ୧୭ଟି ଶିଳ୍ପ ସଂସ୍ଥା ପାଣି ନେଉଛନ୍ତି। ଗତ ମାର୍ଚ୍ଚ ମାସ ସୁଦ୍ଧା ହିସାବ ଅନୁଯାୟୀ ୧୦ଟି ଶିଳ୍ପ ସଂସ୍ଥା ଉପରେ ୧୦୨୩ କୋଟି ୭୭ ଲକ୍ଷ ୫୯ ହଜାର ଟଙ୍କାର ଦେୟ ବାକି ଅଛି। କେବଳ ଶିଳ୍ପ ସଂସ୍ଥା ନୁହେଁ, ଦକ୍ଷିଣ ପୂର୍ବ ରେଳପଥ ଉପରେ ସର୍ବାଧିକ ୪୫୪ କୋଟି ୧୩ ଲକ୍ଷ ଟଙ୍କା ବାକି ପଡ଼ିଛି। ବନ୍ଦ ହୋଇଯାଇଥିବା ଝାରସୁଗୁଡ଼ା ଓରିଏଣ୍ଟ ପେପର ମିଲ୍‌ ଉପରେ ୨୭୯ କୋଟି ୫୭ ଲକ୍ଷ ଟଙ୍କା ବକେୟା ଥିବା ବେଳେ ସମ୍ବଲପୁର ଶ୍ୟାମ ମେଟାଲିକ୍‌ ପାୱାର ଲିମିଟେଡ୍‌ ଉପରେ ୧୩୧ କୋଟି ୫୨ ଲକ୍ଷ ୭୭ ହଜାର ଟଙ୍କା, ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ଉପରେ ୯୪ କୋଟି ୩୫ ଲକ୍ଷ ୭୪ ହଜାର ଟଙ୍କା ବକେୟା ଅଛି।

ସମ୍ବଲପୁର ବିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ୍‌ ଉପରେ ୩୭ କୋଟି ୯୯ ଲକ୍ଷ ୮୫ ହଜାର ଟଙ୍କା, ଝାରସୁଗୁଡ଼ା ବନହରପାଲି ଇବ୍‌ ଥର୍ମାଲରେ ଆଇଟିପିସି, ଓପିଜିସି ଉପରେ ୧୩ କୋଟି ୭୪ ଲକ୍ଷ ୯ ହଜାର ଟଙ୍କା, ଝାରସୁଗୁଡ଼ା ଇଣ୍ଡ ଭାରତ (ଉତ୍କଳ) ଉପରେ ୬ କୋଟି ୩୫ ଲକ୍ଷ ୮୬ ହଜାର ଟଙ୍କା, ଝାରସୁଗୁଡ଼ାର ଆକ୍ସନ ଇସ୍ପାତ ଆଣ୍ଡ ପାୱାର ଲିମିଟେଡ୍‌ ଉପରେ ୫ କୋଟି ୭୭ ଲକ୍ଷ ୯୮ ହଜାର ଟଙ୍କା, ଝାରସୁଗୁଡ଼ା ବିଏଲ୍‌ଟିଏସ୍‌ ବନ୍ଧବାହାଲ ଉପରେ ୩୦ ଲକ୍ଷ ୯୯ ହଜାର ଟଙ୍କାର ଜଳକର ବକେୟା ଅଛି। ଏହି ୧୦ ଶିଳ୍ପ ସଂସ୍ଥା ମଧ୍ୟରୁ ଅନେକ ସଂସ୍ଥା ବହୁ ଦିନରୁ ବନ୍ଦ ହୋଇ ଯାଇଥିବାରୁ କୋଟି କୋଟି ଟଙ୍କାର ଜଳକର ଆଦାୟ ହେବା ସମ୍ଭାବନା ଦେଖା ଯାଉନାହିଁ। ହଜାର ହଜାର କୋଟି ଟଙ୍କା ଜଳକର ହଡ଼ପ୍‌ କରିଥିବା ଏହି ଶିଳ୍ପ ସଂସ୍ଥା ପୂର୍ବରୁ ଶିଳ୍ପ ସ୍ଥାପନ ପାଇଁ ହଜାର ହଜାର ଏକର ଜଙ୍ଗଲ, ଜମି ହାତେଇ ଥିବାରୁ ସେଠାରେ ଥିବା ଚାଷ ଜମି ଉଜୁଡ଼ି ଯାଇଥିଲା। ଶିଳ୍ପ ବନ୍ଦ ହୋଇଯିବା ପରେ ଏହି ଜମି ଏବେ କୌଣସି କାମରେ ଆସୁନାହିଁ।

The post ପାଣିରେ ହଜାର ହଜାର କୋଟି ଖାଇଗଲେ: ୧୦ ଶିଳ୍ପ ସଂସ୍ଥା ଉପରେ ୧୦୨୪ କୋଟି ଟଙ୍କା ଜଳକର ବାକି first appeared on Sambad.

from ଜିଲ୍ଲା | Sambad https://ift.tt/3hegrai