ପୁରୀ : ରାଜ୍ୟ ସରକାର ଏବେ କୋଭିଡ୍‌ କଟକଣାକୁ କୋହଳ କରିଛନ୍ତି। ଯେଉଁ ହାତଗଣତି ଜିଲ୍ଲାରେ ସାପ୍ତାହାନ୍ତ ସଟ୍‌ଡାଉନ୍‌ ରହିଥିଲା, ତାକୁ ପ୍ରତ୍ୟାହାର କରି ନିଆଯାଇଛି। ସେପଟେ ରାତ୍ରୀକାଳୀନ କର୍ଫ୍ୟୁକୁ ବି କୋହଳ କରାଯାଇଛି। ରାତି ୮ଟା ବଦଳରେ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ କୋହଳ କରିବାକୁ ବିଚାରବିମର୍ଶ ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ। ସେହି ଅନୁଯାୟୀ ନୂଆ ଏସ୍‌ଓପି ଜାରି କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ।

ଆପାତତଃ ଶନିବାର ଦର୍ଶନ କଟକଣାକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ସେପଟେ ଦର୍ଶନ ସମୟ ଅବଧିକୁ ବି ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏ ଉପରେ ଆସନ୍ତା ୮ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ଯେଉଁଥିରେ ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହେବ ଓ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ବଳବତ୍ତର ଏସ୍‌ଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଛି। ସେପଟେ ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ପର୍ବପର୍ବାଣୀରେ ବି ଦର୍ଶନ କଟକଣା ଲଗାଯାଇଛି। ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ନୂଆ ଏସଓପିରେ ଦର୍ଶନ ବ୍ୟବସ୍ଥାକୁ କୋହଳ କରାଯିବ। ସପ୍ତାହକୁ ଗୋଟିଏ ଦିନ ଅର୍ଥାତ୍‌ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଶନିବାର ଦର୍ଶନରେ ଯେଉଁ କଟକଣା ଲଗାଯାଇଛି, ତାକୁ ହଟାଇ ଦିଆଯିବ।

The post କୋହଳ ହେବ ଶ୍ରୀମନ୍ଦିର ଦର୍ଶନ କଟକଣା first appeared on Sambad.

from ଜିଲ୍ଲା | Sambad https://ift.tt/3BEK7p7