
କେନ୍ଦୁଝର : ଅନ୍ତର୍ଜାତୀୟ ବଜାରରେ ଲୁହାପଥର ମୂଲ୍ୟ ଅଧିକ ଥିବାବେଳେ ଓଏମ୍ସି ନିଜର ସାଇଜ ଓର୍ ଏବଂ ଫାଇନ୍ସ ମୂଲ୍ୟ ବୃଦ୍ଧି କରିଥିଲା। ମାତ୍ର ଏବେ ବଜାର ମୂଲ୍ୟ ହ୍ରାସ ପାଇଛି। ଏହାପରେ ବି ଓଏମ୍ସି ଆଉ ଦର କମାଇଲା ନାହିଁ। ଫଳରେ ଓଏମ୍ସିର ବିଭିନ୍ନ ଖଣିରୁ ଲୁହାପଥର ସାଇଜ ଓର୍ ଏବଂ ଫାଇନ୍ସ ନେଉଥିବା ଶିଳ୍ପସଂସ୍ଥା ଆଉ କଞ୍ଚାମାଲ ନେଉନାହାନ୍ତି। ଏମିତିକି ଏଥିପାଇଁ ଓଏମ୍ସିର ନିଲାମ ପ୍ରକ୍ରିୟା ତିନିଥର ଫେଲ୍ ମାରିସାରିଲାଣି। ଏଥିଯୋଗୁଁ ରାଜ୍ୟ ସରକାର ରାଜସ୍ବ ହରାଉଥିବା ବେଳେ କଞ୍ଚାମାଲ ଅଭାବରୁ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
କେନ୍ଦୁଝର ଜିଲ୍ଲାରେ ଓଏମ୍ସିର ଗନ୍ଧମାର୍ଦ୍ଦନ ଖଣିରେ ଗତକାଲି ଅର୍ଥାତ୍ ଅଗଷ୍ଟ ୩୧ ତାରିଖରେ ସାଇଜ୍ ଓର୍ ସହିତ ୨ ଲକ୍ଷ ୬୪ ହଜାର ଟନ୍ର ଫାଇନ୍ସ ନିଲାମ ହୋଇଥିଲା। ଏହାର ବେସ୍ ପ୍ରାଇସ୍ ଟନ୍ ପିଛା ୫୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା। ମାତ୍ର ୧୦୦୦ ଟନ୍ର ଫାଇନ୍ସ ନିଲାମରେ ଯାଇଥିଲା। ଅର୍ଥାତ୍ ଗତକାଲିର ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। କୌଣସି କ୍ରେତା ବା ଶିଳ୍ପସଂସ୍ଥା ଏତେ ଅଧିକ ମୂଲ୍ୟ ଦେଇ ଲୁହାପଥର ଫାଇନ୍ସ କିଣିବାକୁ ଆଗ୍ରହ ପ୍ରକାଶ କଲେନାହିଁ। ସେହିପରି ଅଗଷ୍ଟ ୨୩ ତାରିଖରେ ଓଏମ୍ସି ଗନ୍ଧମାର୍ଦ୍ଦନ ବ୍ଲକ-ବିରେ ଗଚ୍ଛିତ ଥିବା ଲୁହାପଥର ଫାଇନ୍ସ ପାଇଁ ନିଲାମ ହୋଇଥିଲା। ଏଥର ୨ ଲକ୍ଷ ୬୪ ହଜାର ମେଟ୍ରିକ ଟନ୍ ଲୁହାପଥର ଫାଇନ୍ସ ପାଇଁ ନିଲାମ ଡକାଯାଇଥିଲା। ଯାହାର ବେସ୍ ପ୍ରାଇସ୍ ଟନ୍ ପିଛା ଥିଲା ୫୮୦୦ ଟଙ୍କା। ଏହି ମୂଲ୍ୟ କୌଣସି ଶିଳ୍ପସଂସ୍ଥାକୁ ସୁହାଇଲା ନାହିଁ। ଯେଉଁଥିପାଇଁ ମାତ୍ର ୧୯ ହଜାର ଟନ୍ ଫାଇନ୍ସ ନେବାକୁ କିଛି ଶିଳ୍ପସଂସ୍ଥା ରାଜି ହେଲେ। ଅବଶିଷ୍ଟ ନିଲାମ ହୋଇପାରିଲା ନାହିଁ। ଫଳରେ ଏହି ନିଲାମ ପ୍ରକ୍ରିୟା ଫେଲ୍ ମାରିଥିଲା।
ଜୁଲାଇ ୮ ତାରିଖରେ ଓଏମ୍ସି ଗନ୍ଧମାର୍ଦ୍ଦନ ବ୍ଲକ୍-ବିର ଫାଇନ୍ସ ବିକ୍ରି ପାଇଁ ନିଲାମ ଡକାଯାଇଥିଲା। ଏଥିରେ ମଧ୍ୟ ୨ ଲକ୍ଷ ୬୪ ହଜାର ମେଟ୍ରିକ ଟନ୍ ଫାଇନ୍ସ ବିକ୍ରିପାଇଁ ନିଲାମ ଡକାଯାଇଥିଲା। ଏହି ଫାଇନ୍ସର ଟନ୍ ପିଛା ବେସ୍ ପ୍ରାଇସ୍ ଥିଲା ୪୬୮୭ ଟଙ୍କା। ଶିଳ୍ପସଂସ୍ଥା ଗୁଡ଼ିକ କିଣିବା ପାଇଁ ଆଗ୍ରହ ନ ଦେଖାଇବାରୁ ଏହି ନିଲାମ ପ୍ରକ୍ରିୟା ବାତିଲ କରାଯାଇଥିଲା। ଦୁଇମାସ ମଧ୍ୟରେ ଓଏମ୍ସି ଲୁହାପଥର ଫାଇନ୍ସ ବିକ୍ରି ପାଇଁ ବାରମ୍ବାର ଉଦ୍ୟମ କରବା ସତ୍ତ୍ବେ ବିଫଳ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଏହି ଖଣି ଉପରେ ସଂଖ୍ୟାଧିକ ସ୍ପଞ୍ଜ ଆଇରନ ଏବଂ ପିଲେଟ ପ୍ଲାଣ୍ଟ ନିର୍ଭର କରିଥାନ୍ତି। ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ବଡ଼ବଡ଼ ଶିଳ୍ପସଂସ୍ଥା ରଶ୍ମି ଗ୍ରୁପ ଏବଂ ଶ୍ୟାମ ମେଟାଲିକ୍ସ ମଧ୍ୟ ଏହି ଖଣି ଉପରେ ନିର୍ଭରଶୀଳ। ଏହାଛଡ଼ା ରାଜ୍ୟର ବଡ଼ବଡ଼ ଶିଳ୍ପସଂସ୍ଥା ଯଥା ଝାରୁସୁଗୁଡ଼ାର ଭୂଷଣ, ଜେଏସ୍ଡବ୍ଲ୍ୟୁ, ଅନୁଗୁଳର ଭୂଷଣ, ଟାଟାଷ୍ଟିଲ ପ୍ଲାଣ୍ଟ ଲଙ୍ଗଟର୍ମ ଲିଙ୍କେଜ ବା ଏଲ୍ଟିଏଲ୍ ଜରିଆରେ ସାଇଜ ଓର୍ ଏବଂ ଫାଇନ୍ସ ନେଇଥାନ୍ତି। ମାତ୍ର କିଛିମାସ ହେଲା ଲୁହାପଥର ସାଇଜ ଓର୍ ଏବଂ ଫାଇନ୍ସର ମୂଲ୍ୟ ବୃଦ୍ଧି ଯୋଗୁଁ ନିଲାମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଛି।
The post ତ୍ରୁଟିପୂର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ: ଲୁହାପଥର କିଣିବାକୁ କେହି ନାହାନ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3t9BcbS
0 Comments