
କୋରାପୁଟ : ଓଡ଼ିଶାର କଡ଼ା ପ୍ରତିରୋଧ ପରେ ଆଭିମୁଖ୍ୟରେ ପରିବର୍ତ୍ତନ କରିବା ସହ ନରମିଛି ଆନ୍ଧ୍ର। ଯାହାର ସଙ୍କେତ ଆଜି ଦେଇଛନ୍ତି ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା। ମୁହାଁମୁହିଁ ହୋଇ ପରସ୍ପରକୁ ବିରୋଧ କରିବା ବଦଳରେ ଆପୋସ ଆଲୋଚନାରେ ବୁଝାମଣା ପାଇଁ ପରାମର୍ଶ ଦେଇଛନ୍ତି। ଗତକାଲି ସୁପ୍ରିମକୋର୍ଟ ରାଜନୈତିକ ସମାଧାନ ପାଇଁ ମୌଖିକ ନିର୍ଦ୍ଦେଶ ଦେବାପରେ ସାଲୁର ବିଧାୟକଙ୍କ ଏଭଳି ମନ୍ତବ୍ୟ କୋଟିଆ ପ୍ରସଙ୍ଗରେ ଗୁରୁତ୍ବ ବହନ କରୁଛି।
ସାଲୁରରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଶ୍ରୀ ଦୋରା କହିଛନ୍ତି, ଭାରତ ପରି ରାଷ୍ଟ୍ରରେ ଓଡ଼ିଶା ଓ ଆନ୍ଧ୍ର ଦୁଇ ଭାଇ ଭଳି। ତେଣୁ କୌଣସି ବିବାଦ ରହିବା କଥା ନୁହେଁ। ୧୯୫୮ ମସିହାରୁ କୋଟିଆକୁ ନେଇ ରହିଥିବା ସମସ୍ୟାର ସମାଧାନ କରିବାକୁ ପଡ଼ିବ। ତେବେ ଏଥିପାଇଁ ସୌହର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେବା ଉଚିତ। ଏଥିପାଇଁ ସେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ବି ଜଗନଙ୍କୁ ପ୍ରସ୍ତାବ ଦେଇଛନ୍ତି। ତିନୋଟି ପର୍ଯ୍ୟାୟରେ ଏହି ବିବାଦୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଥମେ ମୁଖ୍ୟ ଶାସନ ସଚିବ, ଏହାପରେ ଦୁଇ ରାଜ୍ୟର ଡିଜିପି ଆଲୋଚନା କରନ୍ତୁ। ଶେଷରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରି ଯାହାବି ଭୁଲ ବୁଝାମଣା ରହିଛି ତାହା ଦୂର କରନ୍ତୁ। ଏହାଦ୍ବାରା ହିଁ କୋଟିଆର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।
The post କୋଟିଆ ବିବାଦ: ନରମିଲେ ସାଲୁର ବିଧାୟକ first appeared on Sambad.from ଜିଲ୍ଲା | Sambad https://ift.tt/3t8SxBT
0 Comments