
କୋରାପୁଟ : କହି କହି ଥକି ଲେଣି। ଏ ଅଫିସରୁ ସେ ଅଫିସକୁ ଅଭିଯୋଗପତ୍ର ଦେଇ ଦେଇ ନୟାନ୍ତ ହେଲେଣି। ହେଲେ ଶୁଣିବାକୁ ନରାଜ ସରକାର। ନା ମିଳୁଛି ସହାୟତା ନା ମିଳୁଛି ସହାନୁଭୁତି। ଦୁଃଖ ଓ କୋହର ଜୀବନ ଜିଉଁଛନ୍ତି କୋରାପୁଟ ଜିଲ୍ଲା ଦାମନଯୋଡି ନାଲକୋ ଶିଳ୍ପାଞ୍ଚଳ ମାଥାଲପୁଟର ରଙ୍କନିଧି ବେହେରାଙ୍କ ପରିବାର। ପରିବାର କହିଲେ ରଙ୍କନିଧି ତାଙ୍କ ପତ୍ନୀ ସାଇବାଣୀ ବେହେରା ଓ ୨୦ବର୍ଷର ଝିଅ ବର୍ଷା। ହଠାତ୍ ହସଖୁସିରେ ଚାଲୁଥିବା ତେଲଲୁଣର ସଂସାରରେ ଆସିଗଲା ଦୁଃଖର କଳାବାଦଲ। ଦିମୁଠା ଖାଇବାକୁ ଏବେ କରିବାକୁ ପଡୁଛି ସଂଘର୍ଷ।
ଦୁଇବର୍ଷ ତଳେ ରଙ୍କନିଧି ନାଲକୋ ପ୍ଲାଣ୍ଟର ଠିକାଦାର ଅଧିନରେ ଜଣେ ଠିକାଶ୍ରମିକ ଭାବେ କାମ କରୁଥିଲେ। ଦୁଇବର୍ଷ ତଳେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ଏକ ବିସ୍ଫୋରଣ ଘଟି ରଙ୍କନିଧି ଗୁରୁତର ଆହତ ହୋଇଥିଲେ। ବିଶାଖାପାଟନମରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ହେଁ ଗୋଡ ଦୁଇଟା ଅକାମୀ ହୋଇଯାଇଛି । ବାଡି ନ ଧରିଲେ ସେ ଆଉ ଚାଲିପାରୁ ନାହାଁନ୍ତି। ଏପଟେ ବର୍ଷେ ତଳେ ଭେଣ୍ଡିଆ ପୁଅ ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ସାଇବାଣୀଙ୍କ ଆଖିରେ ଟ୍ୟୁମର ହେବାରୁ ଅପରେସନ ଦ୍ବାରା ଗୋଟିଏ ଆଖି ନଷ୍ଟ ହେଇଯାଇଛି। ୨୦ବର୍ଷର ଝିଅ ବର୍ଷା +୩ ପାସ୍ କରି ବାପା ମାଆଙ୍କ ସେବା କରୁଛି। କେବଳ ଗୋଟିଏ ଆଖିରେ ଦୁନିଁଆ ଦେଖୁଥିବା ବେଳେ ମୁଢି ବିକି ଗୁଜୁରାଣ ମେଣ୍ଟାଉ ଥିବା ସାଇବାଣୀ ଅତି ଦୁଃଖର ସହ କହିଛନ୍ତି। ନିଜର ଘରଟିଏ ନାହିଁ। ଭଡାଘରେ ରହୁଛନ୍ତି।ମାସକୁ ୧୫ଶହ ଟଙ୍କା ଘରଭଡା ଦେବାକୁ ପଡୁଛି। ସରକାରୀ ସହାୟତା କହିଲେ କେବଳ ମୁଣ୍ଡପିଛା ୫କିଲୋ ଚାଉଳ ମିଳୁଥିବା ସାଇବାଣୀ କହିଛନ୍ତି। ତେବେ ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ରଙ୍କନିଧି ଅକାମୀ ହୋଇଥିଲେ ହେଁ ତାଙ୍କ ଝିଅକୁ କାମଖଣ୍ଡେ ଦେବାକୁ ରଙ୍କନିଧି ଦାବୀ କରୁଥିଲାବେଳେ ଉଭୟ ଠିକାଦାର କିମ୍ବା ନାଲକୋ କର୍ତୁପକ୍ଷ କାହାରି ନିଘା ନାହିଁ। କେହିବି ତାଙ୍କ ଦୁଃଖ ଗୁହାରୀ ଶୁଣୁନାହାଁନ୍ତି। ବଡ ଦୁର୍ଦିନରେ ଦିନ କାଟୁଛନ୍ତି ରଙ୍କନିଧିଙ୍କ ପରିବାର। ପତ୍ନୀଙ୍କ ଗୋଟିଏ ଆଖି ନଥିବା ବେଳେ କୋରାପୁଟରେ ଶାରିରୀକ ଅକ୍ଷମ ପାଇଁ ଆବେଦନ କରିଥିଲେ ତେବେ ତାଙ୍କୁ କେବଳ ୩୦ପ୍ରତିଶତ ଅକ୍ଷମତା ସାର୍ଟିଫିକେଟ ଦିଆଯିବାରୁ ଉକ୍ତ ସାର୍ଟିଫିକେଟ ମୂଲ୍ୟହୀନ ହେବା ସହ କୌଣସି କାମରେ ଆସିଲା ନାହିଁ ବୋଲି ସାଇବାଣୀ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି।ସହାୟତା ପାଇଁ ଅନେକ ଥର ସେମାନେ ପଞ୍ଚାୟତ ରୁ କୋରାପୁଟ ବ୍ଲକ ଦୌଡିଦୌଡି କିଛି ସୁଫଳ ମିଳିଲା ନାହିଁ ବୋଲି ରଙ୍କନିଧି କହିଛନ୍ତି।ଗରିବ ଲୋକର କେହି ସାହାଭରଷା ନଥିବା ସାଇବାଣୀ କାନ୍ଦିକାନ୍ଦି କହିଛନ୍ତିି। ତେବେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ବିସ୍ଫୋରଣ ଘଟି ରଙ୍କନିଧି ଅକାମୀ ହୋଇଥିବାରୁ ଝିଅକୁ ତାଙ୍କ କାମରେ କର୍ମନିଯୁକ୍ତି ଦେବାସହ ଗୋଟିଏ ଆଖି ନଥିବା ଯୋଗୁଁ ସାଇବାଣୀଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରାଗଲେ ଏମାନଙ୍କ ପରିବାରର ବଞ୍ଚିବା ବାଟ ସହଜ ହୋଇ ପାରିଥାନ୍ତା ବୋଲି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
The post ସରକାରଙ୍କୁ ରଙ୍କନିଧିଙ୍କ ପରିବାରର ପ୍ରଶ୍ନ : ଗରିବଙ୍କ ବିକାଶ କାହା ସ୍ବାର୍ଥରେ ? first appeared on Sambad.from ଜିଲ୍ଲା | Sambad https://ift.tt/3t8VySP
0 Comments