ସମ୍ବଲପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀ ସମ୍ବଲପୁର ପରିଦର୍ଶନ କରିବାକୁ ଚାହୁଁଥିଲେ। ସମ୍ବଲପୁର ଆସି ପ୍ରଥମେ ଶ୍ରୀବଲ୍ଲଭ ପାଣିଗ୍ରାହୀ ସ୍ମାରକୀ ବକ୍ତୃତା ପ୍ରଦାନ କରିବାକୁ ଓ ତାଙ୍କ ବନ୍ଧୁ ତଥା ପାର୍ଟିର ସାଥୀ ଶ୍ରୀବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସେ ମନସ୍ଥ କରି ସାରିଥିଲେ। ଏହି ବକ୍ତୃତାର ଆୟୋଜନ ଶ୍ରୀବଲ୍ଲଭ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନ ତରଫରୁ ମାର୍ଚ୍ଚ ୨୦୨୦ରେ କରାଯିବାକୁ ସ୍ଥିର କରାଯାଇଥିଲା। ଏ କଥା ବିଶିଷ୍ଟ ଆପ୍ରବାସୀ ଭାରତୀୟ ତଥା ସ୍ବର୍ଗତ ଶ୍ରୀବଲ୍ଲଭ ଓ ସୁନନ୍ଦା ପାଣିଗ୍ରାହୀଙ୍କ ବଡ଼ପୁଅ ପ୍ରିୟଦର୍ଶୀ ପାଣିଗ୍ରାହୀ ତାଙ୍କ ପିତାଙ୍କ ୮୧ତମ ଜନ୍ମବାର୍ଷିକୀ ଅବସରରେ ପ୍ରକାଶ କରିଥିଲେ।

ଶ୍ରୀବଲ୍ଲଭ ସେପ୍ଟେମ୍ବର ୨, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ପ୍ରିୟଦର୍ଶୀ ସୂଚନା ଦେବାକୁ ଯାଇ କହିଥିଲେ ଯେ ପ୍ରଣବ ବାବୁଙ୍କ ସହ ଶ୍ରୀବଲ୍ଲଭଙ୍କ ଘନିଷ୍ଠ ସଂପର୍କ ରହିଥିବା ଦୃଷ୍ଟିରୁ ସେ ତାଙ୍କୁ ପ୍ରଥମ ଉଦ୍‌ଘାଟନୀ ସ୍ମାରକୀ ବକ୍ତୃତା ଦେବା ଲାଗି ଯୋଗାଯୋଗ କରିଥିଲେ। ପାର୍ଟିର ଫୋରମ ଭିତରେ ଶ୍ରୀବଲ୍ଲଭ ପ୍ରଣବ ବାବୁଙ୍କ ସହ କାର୍ଯ୍ୟ କରିଥିବା ସହ ପି.ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ସେମାନେ ଉଭୟେ ସରକାରରେ ରହିଥିଲେ। ପ୍ରଣବ ବାବୁ ଏକଦା କଂଗ୍ରେସ ପାର୍ଟିର ଓଡ଼ିଶା ବ୍ୟାପାରରେ ଭାରପ୍ରାପ୍ତ ସାଧାରଣ ସଂପାଦକ ଦାୟିତ୍ବ ତୁଲାଇଥିଲେ। ‘ଆମେ ଚିନ୍ତାକଲୁ ଯେ ଭାରତରତ୍ନ ପ୍ରଣବ ବାବୁଙ୍କ ଉପସ୍ଥିତି ଓ ମୋ ବାପାଙ୍କ ସ୍ମୃତିରେ ପ୍ରଥମ ସ୍ମାରକୀ ବକ୍ତୃତା ପ୍ରଦାନ ତାଙ୍କ ଉତ୍ତରାଧିକାର ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ’ ବୋଲି ଶ୍ରୀବଲ୍ଲଭଙ୍କ କନିଷ୍ଠ ପୁତ୍ର ରାଜର୍ଷି ପ୍ରକାଶ କରିଥିଲେ।

ଶ୍ରୀବଲ୍ଲଭଙ୍କ ପ୍ରତି ପ୍ରଣବ ବାବୁଙ୍କ ଆନ୍ତରିକତା ଏଥିରୁ ମପାଯାଇ ପାରେ ଯେ ଏଭଳି ଏକ ଅନୁରୋଧ ପାଇବାର ମାତ୍ର କେଇ ଘଂଟା ଭିତରେ ସେ ପ୍ରିୟଦର୍ଶୀଙ୍କୁ ସାକ୍ଷାତ୍ କରିବାକୁ ସମୟ ପ୍ରଦାନ କରିଥିଲେ। ପ୍ରଥମେ ମାର୍ଚ୍ଚ ୧୪, ୨୦୧୯ରେ ଓ ତା’ପରେ ଡିସେମ୍ବର ୧୯, ୨୦୧୯ରେ ପ୍ରିୟଦର୍ଶୀ ପ୍ରଣବ ବାବୁଙ୍କୁ ଦୁଇଥର ଦେଖା କରିଥିଲେ। ପ୍ରଣବ ବାବୁ ଶ୍ରୀବଲ୍ଲଭ ତାଙ୍କ ଘନିଷ୍ଠ ବନ୍ଧୁଥିବା ଦର୍ଶାଇ ସେମାନେ ଏକାଠି ମିଶି କାମ କରିଥିବା ସମୟର ମଧୁର ସ୍ମୃତି କଥା ମନେପକାଇ ସେ ଅବିଳମ୍ବେ ସ୍ମାରକୀ ବକ୍ତୃତା ଦେବାକୁ ସମ୍ମତ ହୋଇ ଯାଇଥିଲେ। ସମ୍ବଲପୁର ସହ ପ୍ରଣବ ବାବୁଙ୍କ ପୁରୁଣା ସଂପର୍କ ରହିଥିଲା। ତାଙ୍କର କେତେକ ଘନିଷ୍ଠ ପାରିବାରିକ ବନ୍ଧୁବାନ୍ଧବ ମଧ୍ୟ ସମ୍ବଲପୁରରେ ରହୁଥିଲେ। ଶ୍ରୀ ଏ.ଏନ୍‌. ଗୁହା, ଯାହାଙ୍କ ନାମରେ ସମ୍ବଲପୁରର ଏକ ରାସ୍ତାର ନାମକରଣ ମଧ୍ୟ କରାଯାଇଛି, ସେ ତାଙ୍କ ଘରକୁ ଆସୁଥିଲେ ଓ ସେ ପରିବାର ସହ ରହୁଥିଲେ ମଧ୍ୟ। ପ୍ରଣବ ବାବୁଙ୍କ ସମ୍ବଲପୁର ଯାତ୍ରାର ଯୋଜନା ପ୍ରସ୍ତୁତ କରାଯାଇଥିଲା। ସକାଳେ କୋଲକାତାରୁ ତାଙ୍କୁୁ ବିମାନରେ ଝାରସୁଗୁଡ଼ା ଓ ସେଠୁ ସମ୍ବଲପୁର ଆଣି ପୁଣି ସନ୍ଧ୍ୟାରେ ବିମାନରେ ଫେରିଯିବାର ଯୋଜନା କରାଯାଇଥିଲା।

ତେବେ ନିୟତିକୁ ହୁଏତ ଏହା ମଂଜୁର ନଥିଲା। ଏହି ସମୟରେ ବିଶ୍ବମହାମାରୀ କରୋନାର ଆବିର୍ଭାବ ଘଟିଲା ଓ ସମଗ୍ର ଭାରତ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ କବଳିତ ହେଲା। ସ୍ମାରକୀ ବକ୍ତୃତା ସ୍ଥଗିତ ହେଲା। ମହାମାରୀର ବିଭୀଷିକା ବୃଦ୍ଧି ପାଇବା ସହ ଖବର ଆସିଲା ଯେ ପ୍ରଣବ ବାବୁ ଅଗଷ୍ଟ ୧୦ରେ ତାଙ୍କ ବାସଭବନରେ ପଡ଼ିଯିବା ଫଳରେ ତାଙ୍କ ରକ୍ତ ଜମାଟ ବାନ୍ଧିଲା। ଫଳରେ ତାଙ୍କର ଅସ୍ତ୍ରୋପଚାର କରାଗଲା। ତଥାପି ସେ ଆଉ ସୁସ୍ଥ ହୋଇ ପାରିଲେ ନାହିଁ ଏବଂ ଅଗଷ୍ଟ ୩୧ ତାରିଖ ଦିନ ତାଙ୍କ ପରଲୋକ ହୋଇଗଲା। ତାଙ୍କ ପରମ ବନ୍ଧୁୁ ଶ୍ରୀବଲ୍ଲଭଙ୍କ ସ୍ମୃତିରେ ସମ୍ବଲପୁର ଆସିବାର ତାଙ୍କର ଇଚ୍ଛା ଅପୂରଣୀୟ ହୋଇ ରହିଗଲା। ଭାରତର ଜଣେ ମହାନ ସନ୍ତାନଙ୍କ ଦ୍ବାରା ଦିଆଯିବାକୁ ଥିବା ଉଦ୍‌ଘାଟନୀ ସ୍ମାରକୀ ବକ୍ତୃତା ଆଉ ହୋଇ ପାରିଲା ନାହିଁ। ଶ୍ରୀବଲ୍ଲଭ ପାଣିଗ୍ରାହୀ ଓଡ଼ିଶାର ଜଣେ ଅଗ୍ରଣୀ ଜନନେତା ଥିଲେ। କେବଳ ସେତିକି ନୁହେଁ ୧୯୭୩ରେ ସେ ମାତ୍ର ୩୨ ବର୍ଷ ବୟସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ତଳରେ ସ୍ଥାନ ପାଇବା ସହ ଭାରତର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହେବାର ଗୌରବର ମଧ୍ୟ ଅଧିକାରୀ ହୋଇଥିଲେ। ସେ ଓଡ଼ିଶାର ବିଧାନସଭାକୁ ଦୁଇଥର ଲୋକସଭାକୁ ତିନିଥର ନିର୍ବାଚିତ ହୋଇଥିଲେ।

ଜଣେ ବଳିଷ୍ଠ ପ୍ରଶାସକ ଭାବେ ଶ୍ରୀବଲ୍ଲଭ ନିଷ୍କଳଙ୍କ ଓ ନିର୍ମଳ ଭାବମୂର୍ତ୍ତିର ଅଧିକାରୀ ଥିଲେ। ସମ୍ବଲପୁରରେ ରେଲୱେ ଡିଭିଜନ, ଏମ୍‌ସିଏଲ୍‌ର ମୁଖ୍ୟାଳୟ ପ୍ରତିଷ୍ଠା ଆଦି ପଶ୍ଚିମ ଓଡ଼ିଶାରେ ବହୁ ଗୁରୁତ୍ବପୂର୍ଣ ବୃହତ୍ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ମଧ୍ୟ ତାଙ୍କର ଅଭିନ୍ନ ଅବଦାନ ରହିଥିଲା। ଜଣେ ବଳିଷ୍ଠ ଟ୍ରେଡ ୟୁନିଅନ ଓ ଶ୍ରମିକ ନେତା ଭାବେ ମଧ୍ୟ ତାଙ୍କର ପ୍ରତିଷ୍ଠା ରହିଥିଲା। ଓଡ଼ିଶାର ଏକ ବୃହତ୍ତମ ଟ୍ରେଡ ୟୁନିଅନ ‘ଓଡ଼ିଶା କୋଲିଏରିଜ ମଜଦୁର ସଂଘ’ର ସେ ସଭାପତି ଥିଲେ। ସେ ଥିଲେ ଜଣେ ଏଭଳି ବିରଳ ବ୍ୟକ୍ତିତ୍ବ ଯିଏ ଜୀବନର ଶେଷଶ୍ବାସ ପର୍ଯ୍ୟନ୍ତ ଶିକ୍ଷାର ସମୁନ୍ନତି ଦିଗରେ ନିଜକୁ ଉତ୍ସର୍ଗ କରିଥିଲେ। ସେ ମଧ୍ୟ ‘ନବ ଜୀବନ ଶିକ୍ଷା ନ୍ୟାସ’ (ଏନ୍‌ଏଲ୍‌ଇଟି)ର ସଭାପତି ପଦ ମଣ୍ତନ କରିଥିଲେ ଯାହା ଅଧୀନରେ ଓଡ଼ିଶାରେ ତିନି ଶତାଧିକ ଅରବିନ୍ଦ ସ୍କୁଲ ପରିଚାଳିତ ହେଉଥିଲା। ଶ୍ରୀବଲ୍ଲଭ ବାବୁ ଓ ସୁନନ୍ଦା ଦେବୀଙ୍କ ଆନ୍ତରିକ ଓ ଆକାଂକ୍ଷିତ ମୂଲ୍ୟବୋଧ ଓ ଆଦର୍ଶକୁ ସମୁନ୍ନତ ଭାବରେ ଆଗେଇ ନେବା ହିଁ ଶ୍ରୀବଲ୍ଲଭ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ। ଜନସାଧାରଣଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକମତକୁ ସଚେତନ ଓ ସମୁନ୍ନତ କରି ଗଢ଼ି ତୋଳିବା ନିମନ୍ତେ ପ୍ରତିବର୍ଷ ଶ୍ରୀବଲ୍ଲଭ ପାଣିଗ୍ରାହୀ ସ୍ମାରକୀ ବକ୍ତୃତାମାଳା ଆୟୋଜନ କରିବା ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକ୍ରମ ହେବ। ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏକ ଗୁରୁତ୍ବପୂର୍ଣ୍ଣ ଓ ପ୍ରାସଙ୍ଗିକ ବିଷୟ ଉପରେ ଏହି ବକ୍ତୃତା ଦେବେ। ଏହି ବକ୍ତୃତାମାଳାର ଉଦ୍‌ଘାଟନୀ ବକ୍ତୃତା କାର୍ଯ୍ୟକ୍ରମ ମାର୍ଚ ୨୦୨୦ରେ ପ୍ରଣବ ବାବୁଙ୍କୁ ନେଇ କରାଯିବାକୁ ସ୍ଥିର କରାଯାଇଥିଲା। ସେ ଯାହା ହେଉ ଏବେ ଏହି ବକ୍ତୃତାକୁ ଆସନ୍ତା ଡିସେମ୍ବରରେ କରାଯିବାକୁ ଧାର୍ଯ୍ୟ କରାଯାଉଛି।

The post ବନ୍ଧୁ ଶ୍ରୀବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରଣବ ବାବୁ ସମ୍ବଲପୁର ଆସିବାକୁ ଚାହୁଁଥିଲେ first appeared on Sambad.

from ଜିଲ୍ଲା | Sambad https://ift.tt/3t722l2