କଟକ: ଶିଶୁଭବନରେ ବିକ୍ରି ହେଉଛି କାଜୁଆଲିଟି ବେଡ୍‌। ସୁରକ୍ଷାକର୍ମୀ ୫୦୦ ଟଙ୍କାରେ ଶିଶୁ ରୋଗୀଙ୍କ ପାଇଁ କାଜୁଆଲିଟିରେ ବେଡ୍‌ ଯୋଗାଇ ଦେଉଛନ୍ତି। କାଜୁଆଲିଟିର ବେଡ ସ˚ଖ୍ୟା ୬୦ ଥିବା ବେଳେ ରୋଗୀ ସ˚ଖ୍ୟା ଏବେ ହାରାହାରି ଭାବେ ଦୈନିକ ୧୦୦ ଟପିଯାଉଛି। ବାଧ୍ୟ ହୋଇ ରୋଗୀ ବେଡ୍‌ ନପାଇ ତଳେ ଶୋଉଛନ୍ତି। ଏଭଳି ପରିସ୍ଥିତିର ଫାଇଦା ନେଉଛନ୍ତି ନିର୍ଦ୍ଦିଷ୍ଟ କିଛି ସୁରକ୍ଷାକର୍ମୀ ଓ ତଳିଆ କର୍ମଚାରୀ। ଏଭଳି କାରବାର ଗତ କିଛି ମାସ ହେବ ଚାଲି ଆସିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ଭୟରେ ମୁହଁ ଖୋଲୁ ନାହାନ୍ତି।

ସୂଚନା ଅନୁଯାୟୀ, ଶିଶୁଭବନରେ ମୋଟ ବେଡ୍‌ ସ˚ଖ୍ୟା ୪୧୬ ହୋଇଥିବା ବେଳେ ଦୈନିକ ଆଉଟଡୋର‌୍‌ ରୋଗୀ ସ˚ଖ୍ୟା ୩୫୦ ଟପିଯାଉଛି। ସେମାନଙ୍କ ମଧ୍ୟରୁ ଇନଡୋରରେ ୫୦ରୁ ୬୦ ଜଣଙ୍କୁ ଭର୍ତ୍ତି ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି। କିନ୍ତୁ ଇନଡୋର‌୍‌ ବେଡ୍‌ ଖାଲି ରହୁ ନଥିବାରୁ କାଜୁଆଲିଟିରେ ଭର୍ତ୍ତି କରାଯାଉଛି। କାଜୁଆଲିଟିରେ ରୋଗୀ ସ˚ଖ୍ୟା ବେଡ୍‌ ଅନୁଯାୟୀ ୪୦ ପ୍ରତିଶତ ଅଧିକ ବଢ଼ିଯାଉଥିବାରୁ ଗୋଟିଏ ଗୋଟିଏ ବେଡରେ ୨ରୁ ୩ ଜଣ ଶିଶୁ ଶୋଇବା ଭଳି ଅଭାବନୀୟ ପରିସ୍ଥିତି ଶିଶୁଭବନରେ ଦେଖିବାକୁ ମିଳୁଛି। ଆହୁରି ପ୍ରାୟ ୨୦ ଶିଶୁ ରୋଗୀ ତଳେ ଶୋଉଛନ୍ତି। କାଜୁଆଲିଟିରେ ଦୈନିକ ରୋଗୀ ସ˚ଖ୍ୟା ୧୦୦ରୁ ୧୫୦ ଛୁଇଁଯାଉଛି। ଏଭଳି ପରିସ୍ଥିତିର ଫାଇଦା ସୁରକ୍ଷାକର୍ମୀ ଓ ତଳିଆକର୍ମୀ ନେଉଛନ୍ତି। କେଉଁ ବେଡର ରୋଗୀ ଡିସଚାର୍ଜ ହେଲେ କି ଅନ୍ୟତ୍ର ସ୍ଥାନାନ୍ତର ହେଲେ ସେ ସମ୍ପର୍କିତ ଖବର ତଳିଆ କର୍ମଚାରୀଙ୍କ ଜରିଆରେ ସୁରକ୍ଷାକର୍ମୀ ଜାଣିପାରି ଉକ୍ତ ବେଡକୁ ଟଙ୍କା ନେଇ ଦେଉଥିବା ଅଭିଯୋଗ ହେଉଛି।

Sambad

ତଳେ ଗଡ଼ୁଥିବା ଶିଶୁ ରୋଗୀଙ୍କ ଅଭିଭାବକଙ୍କୁ ହିଁ ଟାର୍ଗେଟ୍‌ କରାଯାଉଛି। ସେମାନଙ୍କ ନିକଟରୁ ବେଡ୍‌ ପିଛା ପାଖାପାଖି ୫୦୦ ଟଙ୍କା ନେଉଥିବା କୁହାଯାଉଛି। ବାଧ୍ୟ ହୋଇ ଟଙ୍କା ଦେଇ ବେଡ୍‌ ନେଉଛନ୍ତି ଶିଶୁରୋଗୀଙ୍କ ଅଭିଭାବକ। କାଜୁଆଲିଟି ଭଳି ଆଇସିୟୁରେ ବି ଦଲାଲରାଜ୍‌ ଚାଲିଛି। ଆଇସିୟୁର ବେଡ୍‌ ସ˚ଖ୍ୟା ମାତ୍ର ୨୧ ଥିବା ବେଳେ ଦୈନିକ ଆଇସିୟୁରେ ଭର୍ତ୍ତି ହେବାକୁ ଥିବା ଶିଶୁ ରୋଗୀଙ୍କ ସ˚ଖ୍ୟା ୩୦ ଟପିଯାଉଛି। ବେଡ୍‌ ନଥିବାରୁ ଏହାର ସିଧାସଳଖ ଫାଇଦା ନେଉଛନ୍ତି ନିର୍ଦ୍ଦିଷ୍ଟ ସୁରକ୍ଷା କର୍ମୀ ଓ ଠିକା କର୍ମଚାରୀ। ଗୁରୁତର ରୋଗୀଙ୍କୁ ବିଡାନାସୀ, ପୁରୀଘାଟ, ସିଡିଏ ଅଞ୍ଚଳର ନିର୍ଦ୍ଦିଷ୍ଟ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି। ରୋଗୀ ପିଛା ୫ରୁ ୧୦ ହଜାର ଟଙ୍କା ଲେଖାଏ କମିସନ ମିଳୁଥିବା କୁହାଯାଉଛି। ଏଭଳି କାର୍ଯ୍ୟରେ ପାଖାପାଖି ୧୦ ଜଣଙ୍କ ସମ୍ପୃକ୍ତି ରହିଛି। ବଡ଼ ଡାକ୍ତରଖାନାରୁ ମଙ୍ଗଳାବାଗ ଥାନା ପୁଲିସ ଦଲାଲ ମୁକ୍ତ ଜୋରଦାର କରୁଥିବା ବେଳେ ଲାଲବାଗ ଥାନା ପୁଲିସ ଶିଶୁଭବନରେ ସେଭଳି ସକ୍ରିୟ ନଥିବାରୁ ଦଲାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ମାଗଣାରେ ଶିଶୁଭବନ ଭିତରେ ହିଁ ଅଲଟ୍ରାସାଉଣ୍ତ ଓ ରକ୍ତ ପରୀକ୍ଷା କରାଯାଉଥିବା ବେଳେ ଆଉଟଡୋରରୁ ହିଁ ସେମାନଙ୍କୁ ଚାନ୍ଦିନୀଚୌକ ଅଞ୍ଚଳର ନିର୍ଦ୍ଦିଷ୍ଟ ପାଥୋଲାବକୁ ଅଲଟ୍ରାସାଉଣ୍ତ ଓ ରକ୍ତ ପରୀକ୍ଷା ପାଇଁ ପଠାଯାଉଛି। କେବଳ ଅଲଟ୍ରାସାଉଣ୍ତ ନୁହେଁ, ରକ୍ତ ପରୀକ୍ଷା ବି କରୁଛନ୍ତି।

ଯାଜପୁର ଜିଲ୍ଲାରୁ ଶିଶୁଭବନକୁ ଆଜି ଆସିଥିବା ଜଣେ ଗୁରୁତର ଶିଶୁକୁ ବେଡ୍‌ ନମିଳିବାରୁ ଜଣେ ମହିଳା ତାକୁ କୋଳରେ ବସାଇଥିବା ବେଳେ ଆଉ ଜଣେ ମହିଳା ସାଲାଇନ ବୋତଲକୁ ଧରି ଛିଡ଼ା ହୋଇଥିବା ଭଳି ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି। ଗୋଟିଏ ପଟେ ଶିଶୁଭବନକୁ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଘୋଷଣା କରାଯାଇଥିବା ବେଳେ ଏଠାରେ ଆରମ୍ଭ ହୋଇଛି ପେଡିଆଟ୍ରିକ କୋଭିଡ୍‌ ନୋଡାଲ୍‌ ସେଣ୍ଟର। କିନ୍ତୁ ରୋଗୀ ବେଡ୍‌ ଖଣ୍ତେ ନପାଇବା ଓ ବେଡ୍‌ ପାଇଁ ଟଙ୍କା ଦେବା ଭଳି ଅଭାବନୀୟ ଘଟଣା ଏବେ ସମସ୍ତଙ୍କୁ ଚକିତ କରୁଛି।

ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରାଙ୍କ କହିବା ଅନୁଯାୟୀ, କାଜୁଆଲିଟିରେ ବେଡ୍‌ ଅନୁଯାୟୀ ରୋଗୀ ସ˚ଖ୍ୟା ବୃଦ୍ଧି ପାଉଛି। ଵାର୍ଡରେ ବେଡ୍‌ ଖାଲି ରହୁ ନଥିବାରୁ କାଜୁଆଲିଟିରେ ଶିଶୁଙ୍କୁ ରଖାଯାଉଛି। କିନ୍ତୁ ଏଠି ବେଡ୍‌ ବିକ୍ରି ସ˚କ୍ରାନ୍ତ ଅଭିଯୋଗକୁ ଅନୁଧ୍ୟାନ କରାଯିବ। ଅନ୍ୟପଟେ ଘରୋଇ ହସପିଟାଲକୁ ରୋଗୀ ସମ୍ପର୍କୀୟ କେହି ଯଦି ଅଭିଭାବକ ନିଜ ଆଡ଼ୁ ନେଉଥିବେ, କିନ୍ତୁ ଏଠୁ କେହି ସ୍ଥାନାନ୍ତର କରୁଥିବା ଅଭିଯୋଗ ଆସିନାହିଁ। ସାତ ମହଲା କୋଠାରେ ଅଧିକ ୬୦୦ ବେଡ୍‌ ପ୍ରସ୍ତୁତ ହେଉଛି। ଶିଶୁଭବନରେ ମୋଟ ବେଡ୍‌ ସ˚ଖ୍ୟା ୧ ହଜାର ଛୁଇଁବ। ଯାହାଫଳରେ ଆଗାମୀ ଦିନରେ ଗୁରୁତର ଶିଶୁରୋଗୀଙ୍କ ପାଇଁ ବେଡ ସମସ୍ୟା ରହିବ ନାହିଁ ବୋଲି ଡାକ୍ତର ବେହେରା କହିଛନ୍ତି।

The post ଶିଶୁଭବନରେ କାଜୁଆଲିଟି ବେଡ୍‌ ବିକ୍ରି! ଗୋଟିଏ ଗୋଟିଏ ବେଡ୍‌ରେ ଶୋଉଛନ୍ତି ୩ ଶିଶୁ ରୋଗୀ first appeared on Sambad.

from ଜିଲ୍ଲା | Sambad https://ift.tt/3nbJbo0