
ରାୟଗଡ଼ା: ପରକୀୟା ପ୍ରୀତି କାରଣରୁ ପୁଣି ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ମରଣାନ୍ତକ ଆକ୍ରମଣ ପରେ ଯୁବକଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲି ଯାଇଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ପୁଲିସ୍ ୩୨୬ ନଂ ଜାତୀୟ ରାଜପଥର କଡିଙ୍ଗଗୁଡା-କୋଡାପାଡି ରାସ୍ତାରୁ ସୋମବାର ରାତିରେ ରାଜେଶ ବେନିଆ (୨୯) ଙ୍କର ମୃତଦେହ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜେଶକୁ ହତ୍ୟା କରାଯାଇଥିବା ନେଇ ବଡ ଭାଇ ଗୋପାଳ ବେନିଆ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ହତ୍ୟାର ଶିକାର କଡିଙ୍ଗଗୁଡା ଗ୍ରାମର ରାଜେଶଙ୍କ ସ୍ତ୍ରୀ ଭାଗ୍ୟଶ୍ରୀ ଅଗଷ୍ଟ ୧୯ ତାରିଖରେ ଘରୁ କୁଆଡେ ପଳାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଭାଗ୍ୟଶ୍ରୀଙ୍କ କୌଣସି ସନ୍ଧାନ ମିଳିନଥିଲା।
ସ୍ତ୍ରୀକୁ କେହି ଅପହରଣ କରି ନେଇଥିବା ନେଇ ରାଜେଶ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। କିଛି ଦିନ ପରେ ଭାଗ୍ୟଶ୍ରୀ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଯାଇଥିବା ଖବର ପାଇ ରାଜେଶ ଉକ୍ତ ଗାଁରେ ପହଞ୍ଚି ଭାଗ୍ୟଶ୍ରୀଙ୍କୁ ଘରକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁରୁଷ ବନ୍ଧୁଙ୍କ ସହ ଭାଗ୍ୟଶ୍ରୀଙ୍କ ପରିବାର ଲୋକ ରାଜେଶକୁ ସ୍ତ୍ରୀ କଥା ଭୁଲି ଯିବାକୁ ଚେତାବନୀ ଦେଇଥିଲେ। ଏପରିକି ପୁଣି ଥରେ ଗାଁକୁ ଖୋଜିବାକୁ ଆସିଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ରାଜେଶ କରିଥିବା ଅଭିଯୋଗର ପୁଲିସ ତଦନ୍ତ କରୁଥିବା ବେଳେ ସୋମବାର ରାତିରେ ରାଜେଶଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।
ରାଜେଶଙ୍କୁ ହତ୍ୟା କରାଯାଇଥିବାରୁ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଡ ଭାଇ ଗୋପାଳ ବେନିଆ ଓ ପରିବାର ଲୋକେ ଦାବି କରିଛନ୍ତି। ଏଥି ସହିତ ତୁରନ୍ତ ନ୍ୟାୟ ପାଇଁ ରାଜେଶଙ୍କ ପରିବାର ଲୋକ ଓ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାଶଙ୍କ ନିର୍ଦ୍ଦେଶରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜେଶଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପୁଲିସ୍ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
The post ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ଯୋଜନାବଦ୍ଧ ହତ୍ୟା:ରାସ୍ତାକଡ଼ରୁ ମିଳିଲା ରକ୍ତାକ୍ତ ମୃତଦେହ, ପୁଲିସର ଛାନଭିନ୍ first appeared on Sambad.from ଜିଲ୍ଲା | Sambad https://ift.tt/2VlhPAe
0 Comments