ଖଇରା/ଶାଳଚୁଆ/ପାରଳାଖେମୁଣ୍ଡି/କଟକ : ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ୍‌ ଅନ୍ତର୍ଗତ ବେଗୁନିଆସ୍ଥିତ ବାସଭବନକୁ ଯାଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି ମୃତ ଏସିଏଫ୍‌ଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଭାରତୀଙ୍କୁ ଜେରା ସହିତ କ୍ରାଇମବ୍ରାଞ୍ଚ ଟିମ୍‌ ଆପାତତଃ ପଚରାଉଚରା କାର୍ଯ୍ୟ ଶେଷ କରି‌େବ। ଏହାପରେ କ’ଣ ପଦ‌କ୍ଷେପ ନେଉଛନ୍ତି ଏବଂ ମୃତ୍ୟୁ ସମ୍ପର୍କରେ କି ସିଦ୍ଧାନ୍ତରେ ପହଞ୍ଚୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ପୂର୍ବାହ୍ନ ୧୧ଟାରେ କ୍ରାଇମବ୍ରାଞ୍ଚ୍ ଡିଏସପି ଜ୍ଞାନ ମିଶ୍ରଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ୍ ପ୍ରଥମେ ଖଇରା ଥାନାରେ ପହ‌ଞ୍ଚି ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହ ପ୍ରଥମେ ଆଲୋଚନା କରିଥିଲେ। ଏହାପରେ ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ, ଏଏସଆଇ ଜୀବନ କୁମାର ମଲ୍ଲିକଙ୍କ ସମେତ ଏହି ୪ଜଣିଆ ଟିମ୍ ଖଇରା ଥାନା ବେଗୁନିଆସ୍ଥିତ ସୌମ୍ୟରଞ୍ଜନଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ଅଧିକାରୀମାନେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର, ମା’ ତୁଳସୀ ମହାପାତ୍ର, ଭାଇ ରଞ୍ଜନ ମହାପାତ୍ର, ମାମୁ ଶୀତିକଣ୍ଠ ପଣ୍ଡା ଏବଂ ମାଇଁ ଊର୍ମିଳା ପଣ୍ଡାଙ୍କୁ ସାଢ଼େ ୩ଘଣ୍ଟା ଧରି ପଚରାଉଚରା କରିବା ସହ ବୟାନ ରେକର୍ଡ କରିଥିଲେ। ସୌମ୍ୟରଞ୍ଜନଙ୍କ ବାପା କ୍ରାଇମବ୍ରାଞ୍ଚ ଟିମକୁ ସମସ୍ତ ସହଯୋଗ କରିଥିବା କହିଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହିତ ଦୋଷୀଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ବିଧାନସଭା ଆଗରେ ଧାରଣା ଦେବା ସହିତ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ସୌମ୍ୟରଞ୍ଜନଙ୍କ ଭାଇ ରଞ୍ଜନ ମହାପାତ୍ର ଓ ମା’ ତୁଳସୀ ମହାପାତ୍ର ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଆସନ୍ତାକାଲି ଏହି ଟିମ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁସ୍ଥିତ ବିଦ୍ୟାଭାରତୀଙ୍କ ବାପଘରକୁ ଯି‌େବ। କ୍ରାଇମବ୍ରାଞ୍ଚର କ୍ରାଇମ୍ ଏଗେନଷ୍ଟ ଓମେନ୍(ସିଏଡବ୍ଲୁ)ଶାଖା ବିଦ୍ୟାଭାରତୀଙ୍କୁ ଜେରା କରିବ। ସିଏଡବ୍ଲୁର ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ବରେ ଦୁଇଜଣ ମହିଳା ଅଫିସର ଉପସ୍ଥିତ ରହି ଏସ୍‌ଆଇଟି ଟିମକୁ ସହଯୋଗ କରିବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

The post ଏସିଏଫ୍‌ଙ୍କ ମୃତ୍ୟୁ ଘଟଣା: ବାଲେଶ୍ବରରେ କ୍ରାଇମବ୍ରାଞ୍ଚ ଟିମ୍‌, ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3DEF4a0