ବାଉଁଶୁଣି/ କଣ୍ଟାମାଳ : ବୌଦ୍ଧ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଗତ ୨୪ ଘଣ୍ଟା ଧରି ଲାଗିରହିଛି। ବାଉଁଶୁଣି ଅଞ୍ଚଳରେ ମଧ୍ୟ ବର୍ଷା ବିତ୍ପାତ ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ଅନେକ ମାଟି ଘର ଭାଙ୍ଗି ଥିବାର ଅଭିଯୋଗ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବାଉଁଶୁଣି – ଗୁନ୍ଦୁଳିଆ ରାସ୍ତାର ଝିମେଇ ଯୋରର ଅସ୍ଥାୟୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବା କାରଣରୁ ବାଉଁଶୁଣିରୁ ଗୁନ୍ଦୁଳିଆକୁ ଦିନ ୧୨ଟାରୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକେ ଛେଳିବାହାଲ ‌ଦେଇ ଯିବାଆସିବା କରୁଥିବା ଜଣାପଡ଼ିଛି।

ଏହି ଅସ୍ଥାୟୀ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ସମୟରେ ପାଣି ଭିତର ଦେଇ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ ବନ୍ୟା ପାଣି ଭସାଇ ନେଇଥିଲା। ତେବେ ଯୁବକ ଦୁଇ ଜଣ ପହଁରି ପହଁରି  କୂଳରେ ପହଞ୍ଚି ଜୀବନ ବଞ୍ଚାଇଥିଲେ। କିନ୍ତୁ ଅଧିକ ପାଣି ଯୋଗୁଁ ବୁଡି ଯାଇଥିବା ବାଇକକୁ ଉଦ୍ଧାର କରାଯାଇପାରି ନାହିଁ ବୋଲି ସ୍ଥାନୀୟ ଦଳକଳ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ପୁଣି ତିଳପଙ୍ଗା ଗାଁ ଭିତରେ ବନ୍ୟାଜଳ ପ୍ରବାହିତ ହୋଇ ଅନେକ ଘର ଭାଙ୍ଗିବାକୁ ଲାଗିଲାଣି। ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ କରି ନ ପାରି ଏକ ପ୍ରକାର ଜଳବନ୍ଦୀ ଦଣ୍ଡ ଭୋଗୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ଝିମେଇ ଯୋର ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି; ଗୁନ୍ଦୁଳିଆ-ବାଉଁଶୁଣି ଯୋଗାଯୋଗ ବିଚ୍ଛିନ୍ନ, ବାଇକ୍ ଭାସିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3EdAZto