କୋରାପୁଟ: ପୂର୍ବରୁ ତାଉ ଦେଖାଉଥିବା ସାଲୁର ବିଧାୟକ ଏବେ ନରମିଛନ୍ତି। କୋଟିଆକୁ ଦଖଲ କରିବାକୁ ଯେଉଁ ତାଉ ଦେଖାଉଥିଲେ ସେଥିରେ ଏବେ ବିରାମ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ମୌଖିକ ନିର୍ଦ୍ଦେଶ ସହ ତାଳ ଦେଇଛନ୍ତି ସାଲୁର ବିଧାୟକ ପିଡ୍ଡିକା ରାଜନ ଦୋରା। ଦୁଇ ରାଜ୍ୟ ମଧ୍ୟରେ କୋଟିଆକୁ ନେଇ ହୋଇଥିବା ସମସ୍ୟାର ଆପୋଷ ବୁଝାମଣା ମଧ୍ୟରେ ସମାଧାନ କରିଯିବା ଉଚିତ ବୋଲି ସେ ମତଦେଇଛନ୍ତି। ସାଲୁରରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି ଯେ,ଭାରତ ପରି ରାଷ୍ଟ୍ରରେ ଓଡ଼ିଶା ଓ ଆନ୍ଧ୍ର ଭାଇ ଭାଇ ରହିପାରିବେ। ପାକିସ୍ତାନ ଓ ଆଫଗାନିସ୍ଥାନ ପରି ନୁହେଁ। ୧୯୫୮ ମସିହାରୁ ଚାଲିଆସିଥିବା ସମସ୍ୟାର ସମାଧାନ ଆପୋଷ ବୁଝାବଣା ମଧ୍ୟରେ ହେବା ଉଚିତ ବୋଲି କହିଛନ୍ତି। ଏନେଇ ସେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି। ଯାହଫଳ ସ୍ବରୁପ ଓଡ଼ିଶା ସିଏମଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

କୋଟିଆ ବିବାଦକୁ ନେଇ ଗତକାଲି ସୁପ୍ରିମକୋର୍ଟ ଦୁଇ ରାଜ୍ୟ ମଧ୍ୟରେ ରାଜନୈତିକ ବୁଝାବଣାରେ ସମାଧାନ କରିବାକୁ ମୌଖିକ ନିର୍ଦ୍ଦେଶ ଦେବା ପରେ ଶ୍ରୀ ଦୋରାଙ୍କ ଏହି ମନ୍ତବ୍ୟ ଗୁରୁତ୍ବ ବହନ କରୁଛି । ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସେ ତ୍ରିସ୍ତରୀୟ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି। ପ୍ରଥମେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ସ୍ତରୀୟ ଆଲୋଚନା ଆବଶ୍ୟକ ହେଲେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କରାଗଲେ କୋଟିଆ ଅଞ୍ଚଳର ଉନ୍ନତି ହେବ ସେ କହିଥିଲେ। ସେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସହ ଆନ୍ଧ୍ରବାସୀଙ୍କର କୌଣସି ମତାନ୍ତର ନାହିଁ। ଆନ୍ଧ୍ର ପରି ସେ ମଧ୍ୟ ଓଡ଼ିଶାବାସୀଙ୍କୁ ସମ୍ମାନ ଦିଅନ୍ତି। ଜଗନଙ୍କ ପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି। ୧୯୫୮ ମସିହାରୁ ସ୍ଥିତାବସ୍ଥା ରହିଥିବାବେଳେ ଓଡିଶାର କୌଶସି ଗଠନମୂଳକ କାର୍ଯ୍ୟକୁ ବିରୋଧ କରିନାହାଁନ୍ତି । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧ ନ କରି ସେ ପ୍ରୋତ୍ସାହିତ କରିଛନ୍ତି।

କିନ୍ତୁ ଗତ ଦିନରେ ଓଡ଼ିଶାର ନେତୃବୃନ୍ଦ କୋଟିଆ ଗସ୍ତରେ ତାଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ନାରାବାଜି କରିଥିବାରୁ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ତଥାପି ରାଜନୈତିକ ଆଲୋଚନା ସମ୍ଭବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ୫୦ ବର୍ଷ ଧରି ଆଇନର ଜାଲରେ ଛନ୍ଦି ହୋଇଥିବା କୋଟିଆ ସମସ୍ୟା ରାଜନୈତିକ ଆପୋଷ ବୁଝାମଣା ସମ୍ଭବ କି ବୋଲି ପ୍ରଶ୍ନ ଉଠିଛି। ପଟାଙ୍ଗି ବ୍ଲକର ଏକୋଟିଆ, ଦେଓମାଳି ଅଞ୍ଚଳ‌ରେ ଇକୋ ଟୁରିଜିମ୍‌, ଜୈବ ବିବିଧତାର ଭଣ୍ଡାର, ଖଣିଜ ସମ୍ପଦକୁ ନେଇ ଆନ୍ଧ୍ରର ଲୋଲୁପ ଦୃଷ୍ଟିକୁ ବି ଏଡେଇ ଦିଆଯାଇ ନ ପାରେ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ବିଗତ ଦିନରେ ଇତିହାସକୁ ଦେଖିଲେ ସୀମାବିବାଦକୁ ନେଇ ଓଡ଼ିଶାର ଥିବା ବୋରା ମୁଠା, ପାଚିପେଣ୍ଟାକୁ ରାଜନୀତି କରି ନେଇଯାଇଛି ଆନ୍ଧ୍ର। ଯାହାକୁ ନେଇ ଓଡ଼ିଶା ମଧ୍ୟରେ ଡର ରହିଥବାବେଳେ ଆଇନ ଜାଲରେ ପୁଣି ଏହି ବିବାଦ ଫସି ଯିବ କି ବୋଲି ଆଶଙ୍କା ପ୍ରକାଶ ପାଇଛି।

The post କୋଟିଆ ବିବାଦରେ ନରମିଲେ ସାଲୁର ବିଧାୟକ, ତ୍ରିସ୍ତରୀୟ ଆଲୋଚନା ପାଇଁ ବାଟ ଖୋଲା ବୋଲି କହିଲେ first appeared on Sambad.

from ଜିଲ୍ଲା | Sambad https://ift.tt/3t6gaLm