କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ଯୋଜନାରେ ଲାଗିପଡିଛନ୍ତି ସରକାର। କିନ୍ତୁ ଏହାକୁ ଲାଗି ରହିଥିବା ପୂର୍ବ ଭାରତର ଏକମାତ୍ର ସରକାରୀ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଅଭାବନୀୟ ଦୃଶ୍ୟ ସରକାରୀ ବ୍ୟବସ୍ଥାକୁ ଉପହାସ କରୁଛି।

କଟକ ବଡ ମେଡିକାଲ ପାର୍ଶ୍ବରେ ଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସୁଥିବା ରୋଗୀ ବେଡ୍ ନପାଇ ଦିନଦିନ ଧରି କ୍ୟାମ୍ପସ ପରିସରରେ ଥିବା ଆଜବେଷ୍ଟସ ତଳେ, ଗଛ ମୂଳେ ଓ ବାରଣ୍ଡାରେ ପଡ଼ିରହୁଛନ୍ତି। ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଭାଗ୍ୟକୁ ଆଦରି ପଡ଼ିରହିଥିବା ଏହି ଗୁରୁତର କର୍କଟ ରୋଗୀଙ୍କୁ କେବେ ଚିକିତ୍ସା ମିଳିବ, ତାହା ବି ଅନିଶ୍ଚିତ। କର୍କଟ କେନ୍ଦ୍ର ବାରଣ୍ଡାରେ ଏବେ ପ୍ରାୟ ୨ ଶହ ରୋଗୀ ଓ ସଂପର୍କୀୟ ପଡ଼ିରହିଥିବା ଦେଖିବାକୁ ମିଳିଛି।

ରାଜ୍ୟ ସରକାର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଦ୍ବିତୀୟ କ୍ୟାମ୍ପସ ଯୋଜନା ବନ୍ଦକରି ଏବେ ସେହି କ୍ୟାମ୍ପସର ସଂପ୍ରସାରଣ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଏଭଳି ନୀତି ପରୋକ୍ଷରେ ରୋଗୀଙ୍କ ପାଇଁ ଗୁରୁତର ସମସ୍ୟା ଡାକି ଆଣିଥିବା ଅଭିଯୋଗ ହେଉଛି।

୧୯୬୦ରେ କଟକ ବଡ଼ଡାକ୍ତରଖାନାରେ କର୍କଟ ରୋଗର ଏକ ବିଭାଗ ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୮୪ରେ ସ୍ବତନ୍ତ୍ରଭାବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭାବେ ଏହା ପ୍ରତିଷ୍ଠା‌ କରାଗଲା। ଏହି କେନ୍ଦ୍ରର ନାମ ‘ଆଚା‌ର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ’ ଭାବେ ନାମିତ ହୋଇଛି। ଅତ୍ୟାଧୁନିକ ରେଡିଏସନ୍‌ ଚିକିତ୍ସାଠାରୁ ଆରମ୍ଭ କରି ସିଟି ସ୍କାନ୍‌, ଏମ୍‌ଆରଆଇ ଭଳି ଚିକିତ୍ସା ବ୍ୟବସ୍ଥା କେନ୍ଦ୍ରରେ ଉପଲବ୍ଧ। କିନ୍ତୁ ୩୭ ବର୍ଷର ଅନୁଷ୍ଠାନରେ ଏବେ ରୋଗୀଙ୍କ ପାଇଁ ଜାଗା ନାହିଁ। କର୍କଟ କେନ୍ଦ୍ରରେ ୨୪୬ଟି ବେଡ୍‌ ରହିଥିବା ବେଳେ ଚିକିତ୍ସା ପାଇଁ ଅପେକ୍ଷା କରୁଥିବା ରୋଗୀଙ୍କ ରହିବା ପାଇଁ ଆଶ୍ରୟସ୍ଥଳ ନଥିବାରୁ ଗୁରୁତର ରୋଗୀ କ୍ୟାମ୍ପସର ଗଛମୂଳରେ, ପିଣ୍ଡି ଓ ବାରଣ୍ଡାରେ ପଡ଼ିରହୁଛନ୍ତି।

ଏହି କେନ୍ଦ୍ର ବର୍ତ୍ତମାନ ୬ ଏକର ୧୯୬ ଡିସିମିଲ ଅଞ୍ଚଳରେ ରହିଥିବାବେଳେ ଅଧିକ ୨ ଏକରରେ ସରକାର କେନ୍ଦ୍ରର ବେଡ୍‌ ସଂଖ୍ୟା ୫ ଶହ କରିବାର ଯୋଜନା ରଖିଛନ୍ତି। କିନ୍ତୁ ଏହି ଯୋଜନା ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ ନହୋଇ ଗଡ଼ି ଚାଲିଥିବାରୁ ରୋଗୀଙ୍କ ସମସ୍ୟା ବଢୁଛି। କର୍କଟ କେନ୍ଦ୍ର ପରିସରରେ ଏକ ଧର୍ମଶାଳା ଥିବା ବେଳେ ସେଠାରେ ୧୨୦ଟି ‌ବେଡ୍‌ ରହିଛି। ସେଠାରେ ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ରହିବା ପାଇଁ ବେଡ୍ ପିଛା ୪୦ ଟଙ୍କା ଦେୟ ଦେବାକୁ ପଡିଥାଏ। କିନ୍ତୁ ଏବେ ରୋଗୀ ଓ ସଂପର୍କୀୟଙ୍କ ପାଇଁ ସେ ବ୍ୟବସ୍ଥା ବି ସ୍ବପ୍ନ। ଦୂରଦୂରାନ୍ତରୁ ଆସିଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ ଗଛମୂଳେ ରୋଷେଇ କରି ଖାଇବାର ଅଭାବନୀୟ ଦୃଶ୍ୟ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରୁଥିବା ବେଳେ ସରକାର ଆବଶ୍ୟକ ଭିତ୍ତିଭୂମି କେବେ ପ୍ରସ୍ତୁତ କରିବେ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

The post ଇଏ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର! ବାରଣ୍ଡା, ଗଛମୂଳେ ଗଡ଼ୁଛନ୍ତି ରୋଗୀ first appeared on Sambad.

from ଜିଲ୍ଲା | Sambad https://ift.tt/2YdYfa9