ମେଡିକାଲ କଲେଜ ଖୋଲିବାକୁ ବି ରାଜ୍ୟ ତତ୍ପର
ପଦବି ସୃଷ୍ଟି ପାଇଁ ଏଜିଙ୍କୁ ଲେଖିଲେ ଚିଠି

ସୁନ୍ଦରଗଡ଼ : ଏପଟେ ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଦାବି ଜୋର୍ ଧରିଛି। ସେପଟେ ରାଜ୍ୟ ସରକାର ସୁନ୍ଦରଗଡ଼ରେ ମେଡିକାଲ କଲେଜ ଖୋଲିବାକୁ ତତ୍ପର ହୋଇପଡ଼ିଛନ୍ତି। ପୂର୍ବରୁ ମେଡିକାଲ କଲେଜ ଭିତ୍ତିଭୂମି ନିର୍ମାଣର ତଦାରଖ ପାଇଁ ନୋଡାଲ ଅଫିସର ନିଯୁକ୍ତି କରି ୨୦୨୧-୨୨ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା ମଧ୍ୟରେ କଲେଜର ବିଭିନ୍ନ ବିଭାଗ ପାଇଁ ପଦବି ସୃଷ୍ଟି କରିବାକୁ ମହାଲେଖାକାର(ଏଜି)ଙ୍କୁ ଚିଠି ଲେଖିଛନ୍ତି।

ସୂଚନା ଅନୁସାରେ, ଅଗଷ୍ଟ ୨୭ରେ ଏହି ଚିଠି ଲେଖାଯାଇଛି। ଏହି ଚିଠିରେ ଶିକ୍ଷାଦାନ ପାଇଁ ୧୬୦ ପ୍ରାଧ୍ୟାପକ, ସହ ପ୍ରାଧ୍ୟାପକ ଓ ଟ୍ୟୁଟର, ୮୫ ଅଣ ଶିକ୍ଷକ, ୧୦ ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗ ମୁଖ୍ୟ ସହ ମେଡିକାଲ କଲେଜ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧୬ଟି ପଦବି ସୃଷ୍ଟି ପାଇଁ ଅନୁରୋଧ କରାଯାଇଛି। ଏ ଖବର ପରେ ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ନିଜେ ସୁନ୍ଦରଗଡ଼ ଏନ୍‌ଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥି‌ଲେ। ଏବେ କାହିଁକି ନିଜେ ମେଡିକାଲ କଲେଜ ଖୋଲିବାକୁ ଆଗଭର ହେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହା ପଛର ରହସ୍ୟ କ’ ଣ ବୋଲି ପଶ୍ଚିମ ଓଡ଼ିଶାବାସୀ ବି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ରାଜ୍ୟ ସରକାରଙ୍କ ତତ୍କାଳୀନ ମୁଖ୍ୟଶାସନ ସଚିବ ସୁନ୍ଦରଗଡ଼ ଏନ୍‌ଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ୨୦୨୧ ଏପ୍ରିଲ ୩ରେ ଏକ କେନ୍ଦ୍ରୀୟ ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। କିନ୍ତୁ ତା’ ପରଠୁ ଉଭୟ ରାଜ୍ୟ ଓ କେନ୍ଦ୍ର ଏମ୍‌ସ ପ୍ରସଙ୍ଗରେ ବହୁଦିନ ଧରି ନିରବ ରହିବାରୁ ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜଧାନୀ ଭୁବନେଶ୍ବର ଓ କଟକର ହସ୍ପିଟାଲ ଶିଳ୍ପ ସହ ଜଡ଼ିତ ଏକ ପ୍ରଭାବଶାଳୀ ଗୋଷ୍ଠୀ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠାକୁ ବିରୋଧ କରୁଥିବା ଚର୍ଚ୍ଚା ହୋଇଥିଲା।

The post ସୁନ୍ଦରଗଡ଼ରେ ଏମ୍ସ ନା ରାଜ୍ୟର ମେଡିକାଲ କଲେଜ? first appeared on Sambad.

from ଜିଲ୍ଲା | Sambad https://ift.tt/3n2qK4W