
କଟକ: କଟକ ବଡ଼ଡାକ୍ତରଖାନାରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଏସ୍ସିବି ପରିସରରେ ସ୍ବତନ୍ତ୍ର ଟ୍ରାଫିକ୍ କଟକଣା ଆରମ୍ଭ ହୋଇଥିବା ବେଳେ କାଜୁଆଲିଟି ସମ୍ମୁଖ ରାସ୍ତା ଦେଇ ଗାଡି ଚଳାଚଳ ଉପରେ ଅଙ୍କୁଶ ଲାଗିଛି। ବିନା କାରଣରେ ଏହି ରାସ୍ତା ଦେଇ କେହି ଯାତାୟାତ କରିପାରିବେ ନାହିଁ । କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେଇ ଆସୁଥିବା ଗାଡ଼ି କାଜୁଆଲିଟି ରାସ୍ତା ଦେଇ ଯାତାୟାତ କରିପାରିବ। ଟ୍ରମା କାଜୁଆଲିଟି, ନନଟ୍ରମା କାଜୁଆଲିଟି, କାର୍ଡ଼ିଓଲୋଜି, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଲେବରରୁମ ପର୍ଯ୍ୟନ୍ତ ରୋଗୀ ଯେପରି ଶୀଘ୍ର ପହଞ୍ଚି ପାରିବେ ଏବଂ ଭିଡ ପାଇଁ ଗାଡି ଅଟକି ରହିବନି, ସେଥିପାଇଁ ଏଭଳି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।
ପାର୍କିଂ ସମସ୍ୟା ସମାଧାନ ଲାଗି ଏସସିବି କର୍ତ୍ତୃପକ୍ଷ ଏସସିବି ରକ୍ତଭଣ୍ଡାର ଏବଂ ନିରାମୟ କେନ୍ଦ୍ର ନିକଟରେ ଦୁଇଟି ପାର୍କିଂସ୍ଥାନ ଚିହ୍ନଟ କରିଛନ୍ତି। ରକ୍ତଭଣ୍ଡାର ନିକଟ ପାର୍କିଂ ସ୍ଥଳରେ କେବଳ ଚାରିଚକିଆ ଗାଡି ଓ ଆମ୍ବୁଲାନ୍ସ ରହିବ। ଦୁଇଚକିଆ ଗାଡ଼ିଗୁଡ଼ିକ ନିରାମୟ କେନ୍ଦ୍ର ନିକଟ ପାର୍କିଂ ସ୍ଥଳରେ ରଖାଯିବ। ଉଭୟ ମଙ୍ଗଳାବାଗ ଏବଂ ରାଣୀହାଟ ପଟ ପ୍ରବେଶ ପଥ ନିକଟରେ କଡ଼ାକଡ଼ି ଯାଞ୍ଚ କରାଯିବ। ଫାଟକ ନିକଟରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ପାସ ଦେଖାଇ ଡାକ୍ତର ଓ ଅନ୍ୟ କର୍ମଚାରୀ ଗାଡି ଭିତରକୁ ନେଇ ପାରିବେ। ମେଡ଼ିକାଲର ଡାକ୍ତର, ଷ୍ଟାଫ ଓ ପାରାମେଡ଼ିକାଲ ଷ୍ଟାଫଙ୍କ ନିମନ୍ତେ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଛି । ରୋଗୀ ନେଇ ଆସୁଥିବା ବାଇକ ହେଉ କି କାର୍, ସେମାନଙ୍କୁ କାଜୁଆଲିଟି ରାସ୍ତା ଦେଇ ଯାତାୟାତ ପାଇଁ ଅନୁମତି ଦିଆଯିବ। ଏହା ବ୍ୟତୀତ ଅନ୍ୟ କୌଣସି ଗାଡ଼ି ଉକ୍ତ ରାସ୍ତା ଦେଇ ଯାଇପାରିବ ନାହିଁ ବୋଲି ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହରଣା ସୂଚନା ଦେଇଛନ୍ତି।
The post ଏସ୍ସିବିରେ ଟ୍ରାଫିକ୍ କଟକଣା: କାଜୁଆଲିଟି ରାସ୍ତା ଦେଇ ସାଧାରଣ ଯାତାୟାତ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/39oQ658
0 Comments