ଭବାନୀପାଟଣା/ମ.ରାମପୁର : କଳାହାଣ୍ଡି ‌ପୁଲିସ ପକ୍ଷରୁ ଏକ ଆନ୍ତଜିଲ୍ଲା କେନ୍ଦୁପତ୍ର ଚୋର ରାକେଟ ଠାବ କରାଯାଇଛି। ଏହି ଘଟଣାରେ ମଦନପୁର ରାମପୁର ଥାନା ପକ୍ଷରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ଟ୍ରକ୍ ଜବତ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଦନପୁର ରାମପୁର ଥାନା ଅର୍ନ୍ତଗତ ଏକାତରା କେନ୍ଦୁପତ୍ର ଫଡ଼ିରୁ ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦୁପତ୍ର ଚୋରି ହୋଇଥିଲା। ଏନେଇ କେନ୍ଦୁପତ୍ର ରେଞ୍ଜ ଅଧିକାରୀ ଦୈତ୍ୟାରି ନାଏକ ମ. ରାମପୁର ଥାନାରେ ଏତଲା ଦେଇଥିଲେ। ଗତ ଅଗଷ୍ଟ ୨୯ ତାରିଖରେ କିଛି ଅଜଣା ବ୍ୟକ୍ତି ଟ୍ରକ୍‌ ଓ ବାଇକ୍‌ରେ ଆସି ଫଡ଼ିରେ ଥିବା କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ଫଡ଼ିରୁ ୪୦ ବସ୍ତା କେନ୍ଦୁପତ୍ର ଚୋରି କରି ନେଇଥିଲେ। ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅଭିଯୋଗ କରିଥିଲେ।

ମ. ରାମପୁର ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ପୁଲିସ ଏସ୍‌ଆଇ ଜେ.ଡି. ତାରିଣୀ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସମ୍ବଲପୁର ଧନୁପାଲି ଥାନା ମୋତିଝରଣର ମହମ୍ମଦ ଖୁର୍ସିଦ ଅଲ୍ଲୀ (୪୨), ମହମ୍ମଦ ଅବଦୁଲ ହାସନ ଖାନ (୪୮), ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ସାଇଦୁଲି ଗ୍ରାମର ଦେବରାଜ କଅଁର (୨୭), ବଡ଼କଦଲୀପାଲି ଗାଁର ମନୋଜ ଷଣ୍ଢ (୨୯), ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲିର ଗୋବିନ୍ଦ ମେହେର (୪୮), କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭାଟେଲ ନିକଟ ମାଝୀପଡ଼ା ଗ୍ରାମର ନେପାଲ ମାଝୀଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ତରଭା ଥାନା ନକ୍ଟିକନା ଗାଁର ତେଜରାଜ କୁଅଁର, ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ବଡ଼ବାହାଲ ଗାଁର ଲକି ଚରଣ ସାହୁ, ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଉଦେର ଗ୍ରାମର ମିଲୁ ଭୋଇ ଫେରାର ଥିବା ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌. ସୂଚନା ଦେଇଛନ୍ତି। ମହମ୍ମଦ ଖୁର୍ସିଦ ଅଲ୍ଲୀ ଗତ ୩ ବର୍ଷ ଧରି କେନ୍ଦୁପତ୍ରର ବେଆଇନ ବ୍ୟବସାୟ କରି ଆସୁଛି। ବେଆଇନ ଭାବରେ କେନ୍ଦୁପତ୍ର ଆଣି ବାହାରକୁ ପଠାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାଏ। ଦେବରାଜ ଓ ତାର ସହଯୋଗୀ ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାରେ ନିଜର କେନ୍ଦୁପତ୍ର କଳା କାରନାମାର ଜାଲ ବିଛାଇଥିଲେ। ମହମ୍ମଦ ଅବଦୁଲ ହାସନ ସମ୍ବଲପୁରରୁ କୋଲକାତାକୁ କେନ୍ଦୁପତ୍ର ଚାଲାଣ କରୁଥିଲା। ସେମାନେ ବ୍ୟବହାର କରିଥିବା ମିନିଟ୍ରକ୍‌ (ଓଡି ୦୨ ବି ୯୭୩୪)କୁ ପୁଲିସ ଜବତ କରିଛି।

The post ଆନ୍ତଜିଲ୍ଲା କେନ୍ଦୁପତ୍ର ଚୋର ରାକେଟ ଠାବ; ୭ ଜଣ ଗିରଫ, ୩ ଜଣ ଫେରାର ଓ ଟ୍ରକ୍ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3tuKvDu