ନୂଆପଡ଼ା/ଖଡ଼ିଆଳ : ଲୋୟର ଇନ୍ଦ୍ର ଜଳସେଚନରେ ବିସ୍ଥାପିତଙ୍କ କ୍ଷତିପୂରଣ ବାବଦ ୨୩ ଲକ୍ଷ ୮୮ ହଜାର ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଖଡ଼ିଆଳ ପୁଲିସ ଗିରଫ କରିଛି। ସେମାନେ ହେଲେ ଭୂଅର୍ଜନ ଅଫିସର (ପୂର୍ବତନ ଆର୍‌ଆଇ) ରାଜନ ମାଝୀ ଓ ଆକ୍ସିସ୍‌ ବ୍ୟାଙ୍କ କର୍ମଚାରୀ ସୁବୋଧ ବାରିକ।

ସୂଚନାନୁସାରେ ନୂଆପଡ଼ା, ବୋଡ଼େନ୍‌ ବ୍ଲକ୍‌, କର୍ଲାକୋଟ ପଞ୍ଚାୟତ ଡୁଡୁକିବାହାଲ ଗାଁରେ ୨୦୧୪ ମସିହାରେ ଜଳସେଚନ ପ୍ରକଳ୍ପ କେନାଲରେ ଦରଗାଁ ଗ୍ରାମର ସ୍ବର୍ଗତ ଗୌରୀଶଙ୍କର ମାଝୀ ଓ ସିଙ୍ଗଲସାଏ ମାଝୀଙ୍କ (ଖାତା ନଂ ୫୨ ରେ ୧ ଏକର୫୬ ଡିସିମିଲ) ଜମି ଅଧିଗ୍ରହଣ ହୋଇଥିଲା। ଏହି ଜମିର ସମ୍ପୂର୍ଣ୍ଣ ଘରକୁ ଭାଙ୍ଗି ଦିଆଯାଇଥିଲ। ପରେ କ୍ଷତିଗ୍ରସ୍ତ ୫ଜଣଙ୍କ ନାଁରେ ୨୩ ଲକ୍ଷ ୮୮ ହଜାର ୭୬୮ ଟଙ୍କା ସରକାରୀ ସହାୟତା ମିଳିଥିଲା। କିନ୍ତୁ ଅସାଧୁ ଅଧିକାରୀମାନେ ବ୍ୟାଙ୍କରୁ ଏମାନଙ୍କ ସହାୟତା ରାଶି ଉଠାଇ ଆତ୍ମସାତ କରିଥିଲେ। ଏହି ଘଟଣାରେ ପୂର୍ବତନ ଭୂଅର୍ଜନ ଅଧିକାରୀ ନନ୍ଦକିଶୋର ତାଣ୍ଡି ଓ ଦଲାଲ ଶ୍ୟାମ ଅଗ୍ରୱାଲଙ୍କ ନାମରେ ଖଡ଼ିଆଳ ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଏମାନେ ଆଗୁଆ ଜାମିନ ଆଣି ଏପର୍ଯ୍ୟନ୍ତ ବୁଲୁଛନ୍ତି।

ଟଙ୍କା ହଡ଼ପ ଘଟଣାରେ ଜିଲ୍ଲା ପ୍ରଶାସନ ଠୋସ୍‌ ତଦନ୍ତ କରୁନଥିବାରୁ ଜିଲ୍ଲା ଆଦିବାସୀଙ୍କ ମଧ୍ୟରେ ଅସନ୍ତୋ‌ଷ ଦେଖାଦେଇଥିଲା। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଉ ମଧ୍ୟ କରାଯାଇଥିଲା। ଏହାପରେ ପୁଲିସ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜୈନ୍‌ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗୌରୀଶଙ୍କର ମାଝୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରି କରି କ୍ଷତିପୂରଣ ରାଶି ପାଇବାରେ ବିଫଳ ହୋଇ ଚଳିତ ମାସ ୫ ତାରିଖରେ ତାଙ୍କର ମୃତ୍ୟୁବରଣ କରିଛନ୍ତି।

The post ବିସ୍ଥାପିତଙ୍କ ଟଙ୍କା ହଡ଼ପ ଘଟଣା: ପୂର୍ବତନ ଆର୍‌ଆଇ, ବ୍ୟାଙ୍କ କର୍ମଚାରୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/38ZT7J8