ବ୍ୟାସନଗର : ଗୁରୁବାର ଦିନ ବ୍ୟାସନଗର ସହରରେ ଥିବା ବିଭିନ୍ନ ପାଥୋଲାବ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ ଚଢ଼ଉ କରିଥିଲେ। ଗୁରୁବାର ପୂର୍ବାହ୍ଣ ୧୦ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ବାରିକ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଦୀପ୍ତ କୁମାର ସାହୁ ଓ କର୍ମଚାରୀ ମାନସ ନାୟକ ବ୍ୟାସନଗରର ଦଳା ଛକ, ଡାକ୍ତରଖାନା ରୋଡ, ଗୋପବନ୍ଧୁ ଛକ, କହ୍ନେଇପୁର ପ୍ରଭୃତି ସ୍ଥାନରେ ଥିବା ପାଥୋଲାବଗୁଡ଼ିକ ଉପରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଥିଲେ।

ପ୍ରକାଶ ଯେ, ବ୍ୟାସନଗର ସହରରେ ବେଆଇନ ଭାବେ ବହୁ ପାଥୋଲାବ ଚାଲିଛି ବୋଲି ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଚଢ଼ଉ କରାଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ କେତେକ ପାଥୋଲାବ ବେଆଇନ ଭାବେ ଚାଲିଥିବା ଜଣାପଡ଼ିଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ସମ୍ପୃକ୍ତ ପାଥୋଲାବ ମାଲିକଙ୍କୁ କେବଳ ତାଗିଦ୍‌ କରି ଛାଡ଼ି ଦିଆଯାଇଥିଲା। ଏହି ସମୟରେ ବିଭିନ୍ନ ପରୀକ୍ଷା ପାଇଁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ତାଲିକା ଆଗରେ ମାରିବା ପାଇଁ ସମସ୍ତ ପାଥୋଲାବ କର୍ତ୍ତୃପକ୍ଷକୁ ଅଧିକାରୀମାନେ ନିର୍ଦେଶ ଦେଇଥିଲେ। ସରକାରଙ୍କ ଧାର୍ଯ୍ୟ କରିଥିବା ମୂଲ୍ୟ ଅପେକ୍ଷା ଗୋଟିଏ ଟଙ୍କା ଅଧିକ ନନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଗିଦ୍‌ କରିଥିଲେ।

The post ବେଆଇନ ପାଥୋଲାବ ଉପରେ ଚଢ଼ଉ: କାର୍ଯ୍ୟାନୁଷ୍ଠାନ ନାହିଁ କେବଳ ତାଗିଦ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3Bt9EBs