ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ହସପିଟାଲ ରୋଡରେ ଥିବା ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରକୁ ପଶିଲା ବର୍ଷା ପାଣି। ମନ୍ଦିରର ଛାତରୁ ପାଣି ଗଳୁଥିବା ବେଳେ ତଳପଟେ ବର୍ଷା ପାଣି ପ୍ରବେଶ କରୁଛି। ଡ୍ରେନ୍‌ ସହିତ ମିଶିଥିବା ଅପରିଷ୍କାର ପାଣି ମନ୍ଦିର ଭିତରକୁ ପ୍ରବେଶ କରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ପାଣି ମନ୍ଦିର ଭିତରକୁ ପଶି ଦେବୀ ପ୍ରତିମୂର୍ତ୍ତିକୁ ଅଧା ବୁଡ଼ାଇଦେଇଛି। ହଜାର ହଜାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ଶକ୍ତିପୀଠ ମାଁ ପାଟଣେଶ୍ୱରୀ ଜଳମଗ୍ନ ହେବା ଘଟଣା ଭକ୍ତଙ୍କ ଭାବାବେଗ ପ୍ରତି କୁଠାରାଘାତ କରିଛି। ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବୋତ୍ତର ବିଭାଗ ହାତରେ ରହିଛି। କିନ୍ତୁ ଠିକ୍‌ ଭାବରେ ମନ୍ଦିରର ମରାମତି ନକରିବା, ଡ୍ରେନେଜ ସମସ୍ୟା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ମନ୍ଦିରର ସବୁ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସେହିପରି ସହରର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି। ବିଭିନ୍ନ ଘର ଭିତରକୁ ପାଣି ପଶିଛି। ଏଭଳି ସ୍ଥିତିରେ ବିଦ୍ୟୁତ୍‌ କାଟ ସ୍ଥିତିକୁ ଆହୁରି ଜଟିଳ କରି ପକାଇଛି। ରାତିସାରା ପୂରା ସହର ଅନ୍ଧାରରେ ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅଗ୍ନିଶମ ବାହିନୀ ମଧ୍ୟ ରାତି ସାରା ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

The post ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି first appeared on Sambad.

from ଜିଲ୍ଲା | Sambad https://ift.tt/3A9Hviy