
ରାଇସୁଆଁ : ତେଲକୋଇ ବ୍ଲକ୍ ରାଇସୁଆଁ ପଞ୍ଚାୟତ ରାଇସୁଆଁ ଗ୍ରାମର ଗୁଡ଼ୁଭଙ୍ଗାନାଳର ଆଡ଼ିବନ୍ଧ ଲଗାଣ ବର୍ଷାରେ ଧୋଇଯାଇଛି। ଏଠାରେ ଡିଆର୍ଡିଏ ପକ୍ଷରୁ ୨୦୦୯ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା। ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ପାଇଁ ୨୦୧୩ ମସିହାରେ ଆଡ଼ିବନ୍ଧ କେନାଲର ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ସହ ପଶ୍ଚିମ ପାଖ ମାଟିହୁଡ଼ା ଧୋଇଯାଇଥିଲା। ଦୀର୍ଘ ୬ ବର୍ଷ ପରେ ୨୦୧୯ ମସିହାରେ ଡିଆର୍ଡିଏ ପକ୍ଷରୁ ପୁଣି ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ମରାମତି ହୋଇଥିଲା। ମରାମତି ବେଳେ ମଧ୍ୟ ନିମ୍ନମାନର କାମକୁ ନେଇ ଚାଷୀ ବୁଦ୍ଧୁରାମ ମୁଣ୍ଡା, ଭାସ୍କର ମୁଣ୍ଡା, ଜଗନ୍ନାଥ ମୁଣ୍ଡା, କାହ୍ନୁଚରଣ ମୁଣ୍ଡା, ନଣିନ୍ଦ୍ର ମୁଣ୍ଡା, ପ୍ରଦ୍ୟୁମ୍ନ ନାୟକ, ସୁରେଶ ନାୟକ, ମଙ୍ଗୁଳୁ ମୁଣ୍ଡା, ବନବିହାରୀ ମହାନ୍ତ, ସୁକାନ୍ତି ମହାନ୍ତ ପ୍ରମୁଖ ବିରୋଧ କରିଥିଲେ। ମରାମତିକୁ ୩ ବର୍ଷ ନପୂରୁଣୁ ଗତକାଲି ଲଗାଣ ବର୍ଷାରେ ଆଡ଼ିବନ୍ଧ ଧୋଇଯାଇଛି। ତୁରନ୍ତ ଏହାର ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।
ତେଲକୋଇରେ ୫୦ ଘର ଭାଙ୍ଗିଲା
ତେଲକୋଇ : ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ବିଭିନ୍ନ ଗ୍ରାମରେ ୫୦ରୁ ଊର୍ଦ୍ଧ୍ବ ଘର ଓ ୧୦ଟି ଗୁହାଳ ଭାଙ୍ଗିଥିବା ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେଲକୋଇ ଅଞ୍ଚଳରେ ୩ଦିନରେ ୧୭୭ ମିମି ବର୍ଷା ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ଉପୁଡ଼ି ପଡ଼ିଛି। ବିଭିନ୍ନ ନଦୀନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି। ୪ ଦିନ ହେଲା ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବାରୁ ଅଞ୍ଚଳବାସୀ ଅନ୍ଧାରରେ ଅଛନ୍ତି।
କରଦାଙ୍ଗି ପଞ୍ଚାୟତ ଆମ୍ବତଇଳାସାହିର କମଳ ଦେହୁରୀ, କୁଞ୍ଜବିହାରୀ ମହାନ୍ତ, ଜାନକୀ ମହାନ୍ତ, ଟାପସରୁଆର ରଣଜିତ ପାତ୍ର, କରଦାଙ୍ଗିର ବୀଣାପାଣି ଧୀର, ଖୁଣ୍ଟାପଡ଼ାର ରମେଶ ଚନ୍ଦ୍ର ସାହୁ, ତ୍ରିନାଥ ବେହେରା, ମଣିକର ବେହେରା, ପ୍ରସନ୍ନ ପ୍ରଧାନ, ନିରଞ୍ଜନ ବେହେରା, ବେନୁ ପେଣ୍ଠେଇ, ନୀଳମଣି ନାୟକ, ଢେଣା ଦେହୁରୀ, ଦୁଲ୍ଲଭପୁରର ସୁବାସିନୀ ମହାକୁଡ଼, ତେଲକୋଇର ଜାନକୀ ଧୀବର, ଟୁଟୁ ଧୀବର, ବୃନ୍ଦାବନ ବେହେରା, କୁଲାଡେରାର ବିଦେଶୀ ଦେହୁରୀ, ଲିଲି ଦେହୁରୀ, ଲେମ୍ବୁଆ ଦେହୁରୀ, ପ୍ରମୋଦ ଦେହୁରୀଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏନେଇ ତହସିଲଦାର ଅଶ୍ବିନୀ କୁମାର ନାଏକଙ୍କୁ ପଚାରିବାରୁ, ବର୍ତ୍ତମାନ ସୁଦ୍ଧା ୫୦ଟି ଘର ଓ ୧୦ଟି ଗୁହାଳ ଭାଙ୍ଗିଥିବା ନେଇ ଅଭିଯୋଗ ଆସିଛି। ୨୨ଜଣଙ୍କୁ ପଲିଥିନ ପ୍ରଦାନ କରାଯାଇଛି। ରାଜସ୍ବ ନୀରିକ୍ଷକମାନେ ବିଭିନ୍ନ ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ କରୁଥିବା ଶ୍ରୀ ନାଏକ ସୂଚନା ଦେଇଛନ୍ତି।
The post ତେଲକୋଇ: ଗୁଡ଼ୁଭଙ୍ଗାନାଳ ଆଡ଼ିବନ୍ଧ ଧୋଇଗଲା first appeared on Sambad.from ଜିଲ୍ଲା | Sambad https://ift.tt/3tJzXAx
0 Comments