ବୁର୍ଲା/ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଛନ୍ତି। ଆହତ ଛାତ୍ର ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଛାତ୍ରଙ୍କ ପିତା, ମାତା ବୁର୍ଲା ପହଞ୍ଚି ମାଡ଼ ମାରିଥିବା ଛାତ୍ରଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କ ନିକ‌ଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପରେ ବିଚାର ପାଇଁ ଶୁକ୍ରବାର ବିଶ୍ବବିଦ୍ୟାଳୟର ଶୃଂଖଳା କମିଟି ବୈଠକ ବସିବ ବୋଲି ଜଣା ପଡ଼ିଛି।

ମିଳିଥିବା ସୂଚନା ମୁତାବକ ଭିସୁଟ୍‌ ଇଲେକ୍ଟ୍ରିକାଲ ବିଭାଗର ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ତାଙ୍କର ଜଣେ ସହପାଠୀ ମାଡ଼ ମାରିଥିଲେ। ଏହାପରେ ପୁଣି ନିଜର କିଛି ବନ୍ଧୁ ଛାତ୍ରଙ୍କୁ ଡାକି ଆଣି ପୁନଃ ଆକ୍ରମଣ କରିଥିଲେ। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଜଣେ ଛାତ୍ରୀଙ୍କୁ କେନ୍ଦ୍ର କରି ଏହି ଆକ୍ରମଣ ଘଟଣା ଘଟିଥିବା ଜଣା ପଡ଼ିଛି। ଆହତ ଛାତ୍ରଙ୍କୁ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ତାଙ୍କ ପିତାମାତା ଆସି ଛାତ୍ରଙ୍କୁ ନିଜ ତତ୍ତ୍ବାବଧାନକୁ ନେବା ସହ ଭିସୁଟ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟ ଜଣ ଛାତ୍ରଙ୍କ ସହ ଗଣ୍ଡଗୋଳରୁ ଏହି ଘଟଣା ଘଟିଛି ବୋଲି ସେମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶୁକ୍ରବାର ଶୃଂଖଳା କମିଟି ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଭିସୁଟ୍ କୁଳପତି ପ୍ର. ବଂଶୀଧର ମାଝି ନିଜ ପ୍ରତିକ୍ରିୟାରେ କହିଛନ୍ତି।

The post ସହପାଠୀଙ୍କ ମାଡ଼ରେ ଭିସୁଟ୍‌ ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3ACXXIm