
ସମ୍ବଲପୁର/ଯୁଯୁମୁରା : ଯୁଯୁମୁରା ଥାନା ଅଧୀନ ବାସୁପାଲିରେ ଦୀର୍ଘ ବର୍ଷରୁ ବେଆଇନ୍ ଭାବେ ବନ୍ଧୁକ ତିଆରି ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଏସ୍ପି ହସ୍ତକ୍ଷେପ କରିବା ପରେ ସେଠାରେ ଚଢ଼ଉ ହୋଇଥିବା କୁହାଯାଉଛି। ଏହି ମାମଲାରେ ଯୁଯୁମୁରା ପୁଲିସ ବାସୁପାଲିର ତରଣୀ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କୁ ମଙ୍ଗଳବାର ଗିରଫ କରିଥିଲା। ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା। ଉଭୟଙ୍କୁ ପଚରା ଉଚରା କରିବା ପରେ ଯୁଯୁମୁରା ପୁଲିସ ଆଉ ୩ ଜଣଙ୍କୁ ଗିରଫ କରିଛି। ମୋଟ ଉପରେ ୪ଟି ବନ୍ଧୁକ ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ସମ୍ବଲପୁର ଏସ୍ପି ବି ଗଙ୍ଗାଧର ସୂଚନା ଦେଇଛନ୍ତି।
ଏସ୍ପିଙ୍କ ସୂଚନା ଅନୁଯାୟୀ ତରଣୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସେ ତାଙ୍କ ଘରେ ଏହି ଦେଶୀ ବନ୍ଧୁକ ତିଆରି କରୁଥିଲେ। ପ୍ରତ୍ୟେକ ବନ୍ଧୁକକୁ ୪ରୁ ୫ ହଜାର ଟଙ୍କାରେ ବିକ୍ରି କରୁଥିଲେ। ବନ୍ଧୁକଗୁଡ଼ିକୁ କିଣି ମୁଖ୍ୟତ କୋଚିଂ ପାଇଁ ବ୍ୟବହାର କରାଯାଉଥିବା ଏସ୍ପି କହିଛନ୍ତି। କିନ୍ତୁ ହାତୀ ଗାଁକୁ ପ୍ରବେଶ କଲେ ଘଉଡ଼ାଇବା ପାଇଁ ଏହା ବ୍ୟବହାର କରୁଥିଲେ ବୋଲି ବନ୍ଧୁକ କିଣୁଥିବା ବ୍ୟକ୍ତିମାନେ ସଫେଇ ଦେଉଥିଲେ। ପୂର୍ବରୁ ମାଓବାଦୀମାନେ ମଧ୍ୟ ଏହି ବନ୍ଧୁକ ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି ବୋଲି ଏସ୍ପି କହିବା ସହ ବର୍ତ୍ତମାନ ମାଓ କାର୍ଯ୍ୟକଳାପ ନଥିଲେ ମଧ୍ୟ ତା ଉପରେ ନଜର ଅଛି ବୋଲି କହିଛନ୍ତି। ତରଣୀ ତାଙ୍କ ଘରେ ୩ ବର୍ଷ ହେବ ଏହି ବନ୍ଧୁକ ତିଆରି କରି ବିକ୍ରି କରୁଥିଲେ। ସୁନ୍ଦରଗଡ଼ଠାରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ଲୋକେ ତାଙ୍କଠାରୁ ବନ୍ଧୁକ କିଣିଥିବା ଜଣାପଡ଼ିଛି। ତେବେ ତରଣୀ ଆଜି ପର୍ଯ୍ୟନ୍ତ କେତେ ବନ୍ଧୁକ ତିଆରି କରି ବିକ୍ରି କରିଛନ୍ତି ଏବଂ ତାହାକୁ କିଏ କିଏ କିଣିଛନ୍ତି ତାହା ଏବେ ତଦନ୍ତ ପରିସର ଭୁକ୍ତ ଥିବା ଏସପି କହିଛନ୍ତି।
ତରଣୀ ଓ ତାଙ୍କ ସ୍ତ୍ରୀଙ୍କୁ ପଚରା ଉଚରା କରିବା ପରେ ଗୁରୁବାର ଯୁଯୁମୁରା ପୁଲିସ ବାସୁପାଲି, ହିରୋ ଓ ଗୁଡ଼ାପାଲ ଅଞ୍ଚଳରେ ଚଢଉ କରିଥିଲା। ଚଢ଼ଉ ସମୟରେ ୪ଟି ବନ୍ଧୁକ ଜବତ କରିବା ସହ ଆଉ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାସୁପାଲିର କୁମର ମିର୍ଧା, ହିରୋର ଅଶୋକ ପ୍ରଧାନ ଏବଂ ଗୁଡ଼ାପାଲର ସୁଶାନ୍ତ ସାହୁ। ସେମାନଙ୍କ ପାଖରୁ ମୋଟ ଉପରେ ୪ଟି ଦେଶୀ ବନ୍ଧୁକ, ୪ଟି ଷ୍ଟିଲ୍ ଗନ୍ ବ୍ୟାରେଲ୍ ଜବତ ହୋଇଛି।
The post ଯୁଯୁମୁରାରୁ ବନ୍ଧୁକ ଜବତ ଘଟଣା: ଆଉ ୩ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3i3dRnZ
0 Comments