
ସମ୍ବଲପୁର : ବୁର୍ଲା ଥାନା ଅଧୀନରୁ କଣ୍ଟାପାଲି ବସ୍ଷ୍ଟାଣ୍ଡ ନିକଟରେ ୩ ଜଣ ଦୁର୍ବୃତ୍ତ ୨ ଜଣଙ୍କୁ ଅଟକାଇ ପ୍ରଥମେ ଛୁରୀ ଦେଖାଇ ମୋବାଇଲ୍ ଫୋନ୍ ଓ ମନିପର୍ସ ଛଡ଼ାଇବାକୁ ପ୍ରୟାସ କଲେ। ବିରୋଧ କରିବାରୁ ଛୁରୀରେ ଆକ୍ରମଣ କରିଲେ ଏବଂ ତାଙ୍କ କେଟିଏମ୍ ବାଇକ(ଓଡି୩୩ଏକ୍ସ୭୯୦୫)କୁ ଧରି ଫେରାର୍ ହୋଇଗଲେ। ଏହି ମାମଲାରେ ବୁର୍ଲା ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଅତାବିରା ଥାନା ରୁଗୁଡ଼ିଟିକରାର ଶୁଭେନ୍ଦୁ ମିର୍ଦ୍ଧା(୨୫) ଓ ତାଙ୍କ ସାଙ୍ଗ ମୁକେଶ ନାଏକ ଗତ ୨୪ ତାରିଖ ରାତି ଗୋଶାଳା ତିଲକ ଢ଼ାବାରେ ଖାଇବା ପରେ ଅତାବିରାକୁ ଫେରୁଥିଲେ। କଣ୍ଟାପାଲି ବସ୍ଷ୍ଟାଣ୍ଡ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଛୁରୀ ଦେଖାଇ ସେମାନଙ୍କ ମୋବାଇଲ୍ ଫୋନ୍ ଏବଂ ମନିପର୍ସ ଲୁଟ କରିବାକୁ ଉଧ୍ୟମ କରିଥିଲେ। ସେମାନେ ବିରୋଧ କରିବାରୁ ଜଣେ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିଥିଲା ଏବଂ ସେମାନଙ୍କଠାରୁ କେଟିଏମ୍ ବାଇକ୍ ଓ ମୋବାଇଲ୍ ଫୋନ୍ ଲୁଟ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଶୁଭେନ୍ଦୁ ଏ ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ମାମଲାରେ ବୁର୍ଲା ପୁଲିସ ବରଗଡ଼ ଟାଉନ ଥାନା ହାଟପଡ଼ାର ଅଭିଷେକ ଚୌଧୁରୀ(୨୦), ତୋରା ବାହାଲପଡ଼ାର ଅମୁଷ ଜାଲ୍(୧୯) ଓ ଆଶିଷ ନନ୍ଦ ଓରଫ୍ ପ୍ରିନ୍ସ(୧୯)କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ଲୁଟ୍ ହୋଇଥିବା କେଟିଏମ ବାଇକ, ଲୁଟ୍ରେ ବ୍ୟବହାର ହୋଇଥିବା ବାଇକ(ଓଡି୧୭ୟୁ୫୮୦୪), ଲୁଟ୍ ହୋଇଥିବା ମୋବାଇଲ୍ ଫୋନ, ଗୋଟିଏ ଛୁରୀ ଏବଂ ଅଭିଯୁକ୍ତଙ୍କ ୩ଟି ମୋବାଇଲ୍ ଫୋନକୁ ପୁଲିସ ଜବତ କରିଛି। ଅଭିଷେକ ଚୌଧୁରୀ ବରଗଡ଼ ଓ ଧମା ଥାନା ଅଧୀନରେ ଅନେକଗୁଡ଼ାଏ ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।
The post ଛୁରା ମାଡ଼ କରି କେଟିଏମ୍ ବାଇକ୍ ଲୁଟ୍, ୩ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/38J6xJg
0 Comments