ବରଗଡ଼ : ପ୍ରେମିକ ନାବାଳିକା ପ୍ରେମିକାକୁ ଧରି ଚମ୍ପଟ ମାରିଲା। ଦୁହେଁ ୧୫-୧୬ ଦିନ ଅଜଣା ଜାଗାରେ ରହିଲେ। ତେବେ ଏକୁଟିଆ ଗ୍ରାମକୁ ଫେରିଥିବା ପ୍ରେମିକକୁ ନାବାଳିକାର ପିତା ଏବଂ ପରିବାରଲୋକେ ନିର୍ଧୂମ ପିଟିବା ସହ ଚୁଟି କାଟି ଦେଲେ। ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ଗାଁରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଲୋକେ ଆଇନ ହାତକୁ ନେବା ଚିନ୍ତାର କାରଣ ପାଲଟିଛି।

ପୁଲିସ୍‌ ସୂଚନା ଅନୁସାରେ, ଗାଁର ବାବାଜୀ ଛୁରିଆ ନାବାଳିକା ପ୍ରେମିକାକୁ ନେଇ ଫେରାର୍‌ ମାରିଥିଲା। ଏନେଇ ଝିଅର ଘରଲୋକ ଥାନାରେ ଏତଲା ଦେଇଥିଲେ। ହେଲେ ଉଭୟଙ୍କ କିଛି ଖୋଜ୍‌ଖବର ମିଳିନଥିଲା। ଶନିବାର ଅପରାହ୍‌ଣରେ ବାବାଜୀ ଗାଁକୁ ଏକୁଟିଆ ଫେରିଥିଲା। ତାକୁ ନାବାଳିକାର ବାପା ସନ୍ତୋଷ ସିଂହ ଦେଖିଥିଲା। ବାବାଜୀକୁ ପ୍ରବଳ ମାଡ଼ ମାରି ଚୁଟି କାଟି ଦେଇଥିଲେ। ଏଥିରେ ନାବାଳିକାର ପରିବାରବର୍ଗ ବି ସାମିଲ ଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଂଚିଥିଲା। ବାବାଜୀକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲା। ସେଠାରୁ ତାକୁ ବୁର୍ଲା ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲା।

ବାବାଜୀ ଗାଁକୁ ଫେରିବା ପରେ ‌ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ପାଖାପାଖି ୫୦ରୁ ଅଧିକ ଲୋକ ନାବାଳିକାର ପରିବାରବର୍ଗଙ୍କୁ ମାଡ଼ ମାରିବାକୁ ବାହାରିଥିଲେ। ତେବେ ପୁଲିସ୍‌ ଫୋର୍ସ ପହଂଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ମାମଲା ଥଣ୍ଡା ପଡ଼ିଥିଲା। ଏନେଇ ସଦର ପୁଲିସ୍‌ ସନ୍ତୋଷ ସିଂହଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ କରିଛି। ହେଲେ ଗିରଫ ଭୟରେ ସମସ୍ତେ ଫେରାର୍‌ ଅଛନ୍ତି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଯାଇ ଗାଁରେ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

The post ପ୍ରେମିକକୁ ମାଡ଼ ମାରି ଚୁଟି କାଟିଦେଲେ ନାବାଳିକାର ପରିବାରବର୍ଗ first appeared on Sambad.

from ଜିଲ୍ଲା | Sambad https://ift.tt/3DPL6ok