ବାରିପଦା: କରୋନାକୁ ନେଇ ଜିଲ୍ଲା ପାଇଁ ଭଲ ଖବର ଆଣିଛି ସେପ୍ଟେମ୍ବର। ଚଳିତ ମାସରେ ମୟୂରଭଞ୍ଜରୁ ୬୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଉଗ୍ରରୂପ ଧାରଣ କରିଥିବା ମହାମାରୀ ପ୍ରଶମିତ ହୋଇଥିବା ଜଣାପଡ଼ିଛି। ସେହିପରି ଚଳିତ ମାସରେ ଜିଲ୍ଲାରୁ ମୃତ୍ୟୁ ସଂଖ୍ୟା ମାତ୍ର ଏକ ଅଙ୍କରେ ସିମୀତ ରହିଛି। ସେପ୍ଟେମ୍ବର ମାସରେ ଜିଲ୍ଲାରୁ ମାତ୍ର ୫ ଜଣ କରୋନାରେ ମୃତ୍ୟୁବରଣ କରିଥିବା ସରକାରୀ ଭାବେ କୁହାଯାଇଛି। ଏଥି ସହିତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦, ୨୫୦ ଛୁଇଁଛି।

ଜିଲ୍ଲାରେ ଚଳିତ ମାସରେ ୬୪୩ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩୯, ୭୬୫କୁ ବୃଦ୍ଧି ପାଇଛି। ୨୦୬ ଜଣ ସକ୍ରିୟ ଅଛନ୍ତି। ଚଳିତମାସ ସୁଦ୍ଧା ସରକାରୀ ଭାବେ ଜିଲ୍ଲାରେ ୨୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟାନ୍ୟ କାରଣରୁ ୩ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେପ୍ଟେମ୍ବର ମାସ ୫ ଓ ୨୭ ତାରିଖରେ ସର୍ବାଧୀକ ୩୭ଜଣ ଚିହ୍ନଟ ହୋଇ ଥିବାବେଳେ ୧୬ ତାରିଖରେ ସର୍ବନିମ୍ନ ୭ଜଣ ଚିହ୍ନଟ ହୋଇଥିଲେ।

ଜୁନ୍‌ରେ ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଉକ୍ତ ମାସରେ ଜିଲ୍ଲାରୁ ୭,୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୩୫ ଜଣ ମୃତ୍ୟୁବରଣ କରିଥିବା ସରକାରୀ ଭାବେ ସୂଚନା ଦିଆଯାଇଥିଲା। ମାତ୍ର ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଘଟି ୩,୧୦୯କୁ ଖସିଥିଲା। କିନ୍ତୁ ମୃତ୍ୟୁ ସଂଖ୍ୟା ୮୧ ଛୁଇଁଥିଲା। ଅଗଷ୍ଟ ମାସରେ ସଂକ୍ରମଣ ହାର ହ୍ରାସ ପାଇ ୯୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ମୃତ୍ୟୁ ସଂଖ୍ୟା ୬୧ ଥିବା ସରକାରୀ ଭାବେ ପ୍ରକାଶ ପାଇଥିଲା। ଗତ ମାସରେ ଜିଲ୍ଲାରେ ୧-୧୮ ବର୍ଷ ବୟସ ବର୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଯାହାକି ୧୭୯ ଥିଲା। ମାତ୍ର ଚଳିତ ମାସରେ ଏହି ସଂଖ୍ୟାରେ ହ୍ରାସ ଘଟିଛି।

The post କରୋନାକୁ ନେଇ ଆଶ୍ବସ୍ତି ଆଣିଲା ସେପ୍ଟେମ୍ବର, ମୟୂରଭଞ୍ଜ ଜିଲ୍ଲାରୁ ୬୬୯ ଆକ୍ରାନ୍ତ ଚିହ୍ନଟ first appeared on Sambad.

from ଜିଲ୍ଲା | Sambad https://ift.tt/39XDQIY