ହାଟଡିହି : ବର୍ଷା ଅଭାବରୁ ହାଟଡିହି ବ୍ଲକ୍‌ରେ ବିଳମ୍ବରେ ଚାଷକାମ ଆରମ୍ଭ ହୋଇଛି। ଚାଷକାମକୁ ଆଗେଇ ନେବାପାଇଁ ଚାଷୀ ଆପ୍ରାଣ ଉଦ୍ୟମ କରୁଛନ୍ତି। ଏଭଳି ସ୍ଥିତିରେ ଦୁଇଗୁଣ ଦରରେ ୟୁରିଆ ସାର ବିକ୍ରି ହେଉଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। କେଉଁଠି ଆଦୌ ୟୁରିଆ ସାର ମିଳୁ ନଥିବାବେଳେ ଆଉ କେଉଁଠି ଚଢ଼ାଦରରେ ସାର ବିକ୍ରି ହେଉଥିବା ଅଭିଯୋଗ ଆସୁଛି।

ହାଟଡିହି ଅଞ୍ଚଳରେ ୮ଟି ସମବାୟ ସମିତି ଥିବାବେଳେ ଏଠାରୁ ଚାଷୀଙ୍କୁ ସାର ମିଳୁନି। ସେହିପରି ଶାଳଣିଆଁ, ମରୈଗାଁ, ଛେନାପଦି ଓ ବଡ଼ରମ୍ପାସରେ ୪ଜଣ ଡିଲର ଏବଂ ୩୦ରୁ ଊର୍ଦ୍ଧ୍ବ ରିଟେଲର ଅଛନ୍ତି। ବାଧ୍ୟ ହୋଇ ଚାଷୀ ସେମାନଙ୍କ ପାଖକୁ ସାର ପାଇଁ ଯାଉଛନ୍ତି। କିନ୍ତୁ ସେମାନଙ୍କଠାରୁ ମଧ୍ୟ ନାସ୍ତିବାଣୀ ଶୁଣିବାକୁ ପଡ଼ୁଛି। କିଛି ରିଟେଲର ଏବେ ଲୁଚାଛପାରେ ଦୁଇଗୁଣ ଦରରେ ସାର ବିକ୍ରି କରୁଛନ୍ତି। ୟୁରିଆ ସାରର ସରକାରୀ ଦର ବସ୍ତା ପିଛା ୨୬୬ ଟଙ୍କା ୫୦ ପଇସା ଥିବାବେଳେ ପରିବହନ ଖର୍ଚ୍ଚ ମିଶାଇ ୨୮୦ ଟଙ୍କାରେ ବିକ୍ରି ହେବା କଥା। କିନ୍ତୁ ରିଟେଲରମାନେ ଏବେ ସାର ବସ୍ତା ୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଚାଷପାଇଁ ଏବେ ୟୁରିଆ ସାର ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ଚାଷୀ ଚଢ଼ାଦର ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି।

ଜୁନ୍‌ ଓ ଅଗଷ୍ଟ ମାସରେ ହାଟଡିହି ଅଞ୍ଚଳକୁ ପ୍ରଚୁର ପରିମାଣର ସାର ଆସିଥିଲା। ବର୍ଷା ଅଭାବରୁ ଚାଷକାମ ପଛେଇ ଯାଇଥିବାରୁ ଚାଷୀମାନେ ସାର କିଣି ନଥିଲେ। ସେସବୁ ସାର ଏବେ ଗଲା କୁଆଡ଼େ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ହାଟଡିହି ଅଞ୍ଚଳକୁ ପର୍ଯ୍ୟାପ୍ତ ସାର ଯୋଗାଇଦେବାକୁ ଚାଷୀ ଅରୁଣ କୁମାର ପ୍ରଧାନ, ରମେଶ ନାୟକ, ସୁଧାଂଶୁ ଦକ୍ଷିଣରାୟ, ବୁଲୁ ବେହେରା, ସୁପ୍ରଭାତ ପଟ୍ଟନାୟକ, ଆନନ୍ଦ ନାୟକ ପ୍ରମୁଖ ଦାବି କରିଛନ୍ତି।

The post ଚାଷ ଆରମ୍ଭରୁ ସାର ଦର ଦୁଇଗୁଣ, ଚିନ୍ତାରେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3gYjxiG