
ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି। ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ଏହି କାର୍ଯ୍ୟକୁ କିଭଳି ସଫଳତାର ସହ କରାଯିବ ସେ ସମ୍ପର୍କରେ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସ୍କୁଲର ଶିକ୍ଷକ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ସଚିବ ଆଲୋଚନା କରିଛନ୍ତି।
ଏହି ଅବସରରେ ପିଲାମାନଙ୍କର ଭବିଷ୍ୟତର ସ୍ୱପ୍ନ ସମ୍ପର୍କରେ ୫ଟି ସଚିବ ପଚାରି ବୁଝିଥିଲେ। ଏହି ଭର୍ଚୁଆଲ ବୈଠକରେ ବିଭିନ୍ନ ବ୍ଲକସ୍ତରରେ ଛାତ୍ରଛାତ୍ରୀମାନେ ଯୋଡ଼ି ହୋଇଥିଲେ। ସେମାନେ ନିଜ ନିଜର କ୍ୟାରିଅର ସ୍ୱପ୍ନ ବିଷୟରେ ଉପସ୍ଥାପନ କରିଥିଲେ। ‘ହାଇସ୍କୁଲ ରୂପାନ୍ତରଣ ଏକ ସାମାଜିକ କାର୍ଯ୍ୟକ୍ରମ। ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ଓ ଅତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ କ୍ୟାରିଅର ସ୍ୱପ୍ନ ଯେପରି ସାକାର ହୋଇପାରିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ପିଲାମାନଙ୍କର ଲକ୍ଷ୍ୟ ପୂରଣ ହୋଇପାରିଲେ ଓଡ଼ିଶା ଆହୁରି ଆଗକୁ ଯାଇପାରିବ’, ଏହି ଆଲୋଚନା ବେଳେ କହିଛନ୍ତି ଶ୍ରୀ ପାଣ୍ଡିଆନ୍। ଏହି କାର୍ଯ୍ୟକ୍ରମ ବେଳେ ସୁନ୍ଦରଗଡ଼ ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ଜିଲ୍ଲାରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ। ଏହି ଦୁଇ ଦିନର କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକା ସହ ବିଭିନ୍ନ ବ୍ଲକରେ ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ହାଇସ୍କୁଲ ରୂପାନ୍ତରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।
The post ୫-ଟି ସଚିବଙ୍କ ହାଇସ୍କୁଲ ରୂପାନ୍ତରଣ ଅଗ୍ରଗତି ସମୀକ୍ଷା first appeared on Sambad.from ଜିଲ୍ଲା | Sambad https://ift.tt/2XJgmV8
0 Comments