
ଚିତ୍ରଡ଼ା : ବେତନଟୀ ଥାନା ଅଧୀନ ବଣଜଙ୍ଗଲ ଘେରା ଭାଲୁକଚୁଆ ଗ୍ରାମର ଜଣେ ଖଡ଼ିଆ ସମ୍ପ୍ରଦାୟର ୧୮ ବର୍ଷୀୟ ଯୁବକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଗୁଜରାଟ ନେଇଯିବା ପରେ ସେଠାରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ପରିବାର ଲୋକେ ଏ ଖବର ପାଇବା ପରେ ପୁଅକୁ ଉଦ୍ଧାର ପାଇଁ ବେତନଟୀ ଥାନା ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି।
ସୂଚନା ମୁତାବକ ଗ୍ରାମର ଦୟାନିଧି ଦେହୁରୀଙ୍କ ପୁଅ ସାଜନକୁ ପରିବାର ଲୋକଙ୍କ ଅଗୋଚରରେ ନିକଟସ୍ଥ ଢେଙ୍କିନେଞ୍ଜିଆ ଗ୍ରାମର ଜଣେ ଲୋକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଜଣେ ଦଲାଲ ମାଧ୍ୟମରେ ଗୁଜୁରାଟର ଏକ ମାର୍ବଲ ଫ୍ୟାକ୍ଟ୍ରିକୁ ନେଇଯାଇଥିଲା। ତେବେ ସେଠାରେ ଦିନକୁ ୧୪-୧୬ ଘଣ୍ଟା କାମ କରାଇବାରୁ ସାଜନ ଅସୁସ୍ଥ ହୋଇପଡ଼ିଥିଲେ। ସେ ଘରକୁ ଆସିବାକୁ ଚାହିଁବାରୁ ତାଙ୍କୁ ମାଡ଼ ମାରିବା ସହିତ ନିର୍ଯାତନା ଦିଆଯାଉଥିଲା। ତେବେ ସେଠାରୁ କୌଶଳକ୍ରମେ ଖସି ଆସିଥିବା ଗ୍ରାମର ଅନ୍ୟଜଣେ ଯୁବକ ଗାଁରେ ପହଞ୍ଚି ଘଟଣା ବାବଦରେ କହିବା ପରେ ପରିବାରବର୍ଗ ଏବେ ଚିନ୍ତାରେ ପଡ଼ିଛନ୍ତି। ସମାଜସେବୀ ମହେଶ୍ୱର ମହାନ୍ତିଙ୍କ ସହଯୋଗରେ ଅସୁସ୍ଥ ପୁଅକୁ ଉଦ୍ଧାର ପାଇଁ ଅସହାୟ ବାପା ଦୟାନିଧି ଏବେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।
The post ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କୁ ଗୁଜୁରାଟରେ ନିର୍ଯାତନା, ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ first appeared on Sambad.from ଜିଲ୍ଲା | Sambad https://ift.tt/38zEoUT
0 Comments