ଭାସିଗଲା ମାଡ଼କାର ଓ ସୁଳିଆମାରି ପୋଲ
ବନ୍ୟାଜଳ ପଶି ଫୁଲିଗଲା କୁନ୍ଦୁଲି ନଦୀ

କୋରାପୁଟ/ପଟାଙ୍ଗୀ : ବତ୍ୟା ‘ଗୁଲାବ’ ଯୋଗୁ କୋରାପୁଟ ଜିଲ୍ଲାର ସେମିଳିଗୁଡା ଓ ପଟାଙ୍ଗି ବ୍ଲକ୍‌ ପ୍ରଭାବିତ ହୋଇଛି। ବାଦଲ ଫଟା ବର୍ଷା ସହ ଭୂ-ସ୍ଖଳନ ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ସୁଙ୍କି ଘାଟିରେ ୩କିଲୋମିଟର ବ୍ୟବଧାନରେ ୬ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। ତେଣୁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ପ୍ରାୟ ୧୦କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଅଟକି ରହିଥିଲା।

ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ୬୮୦ ମିଲିମିଟର ବର୍ଷା ହୋଇଥିଲା। ପଟାଙ୍ଗି ବ୍ଲକ୍‌ରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ପ୍ରଭାବରେ କୋଟିଆ-ଫାଟୁସେନେରି ରାସ୍ତାର ମାଡକର ପୋଲ ଉପରେ ୨୦ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବାରୁ କୋଟିଆ ସହ ୮ଗାଁକୁ ଯୋଗାଯୋଗ ଠପ୍‌ ହୋଇଯାଇଛି। ସେହିପରି ସମ୍ବାଇ-ଝାଙ୍କରଗୁଡା ପୋଲ ଉପରେ ୪ ଫୁଟ୍‌ ଉଚ୍ଚରେ ପାଣି ଚାଲିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପଟାଙ୍ଗି ବ୍ଲକ୍‌ ଗାଲିଗବଦର ଜଳପ୍ରପାତ ରାସ୍ତାରେ ଗୋଟିଏ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ପାହାଡ଼ ତଳେ ଥିବା ସୁଙ୍କି-ରାଲେଗଡା ଛକରୁ ୮ ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସୁଳିଆମାରି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉପରଚିଣ୍ଡିରି, ତଳଚିଣ୍ଡିରି, ନାରିଙ୍ଗିପଦର, ଖଜୁରୀପଦର, ଗିଚାମଞ୍ଜରୀ, ଚିନ୍ତାଲମଞ୍ଜରୀ, ବଡମଞ୍ଜରୀ, ଉପରକାଣ୍ଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପଟାଙ୍ଗି ପରେ ନନ୍ଦପୁରରେ ଦ୍ବିତୀୟ ସର୍ବାଧିକ ୭୫.୫ ମିମି, ଲମତାପୁଟରେ ୭୪.୨ ମିମି, ସେମିଳିଗୁଡାରେ ୭୩ ମିମି, ନାରାୟଣପାଟଣାରେ ୬୬ ମିମି, କୋରାପୁଟରେ ୪୭.୮ ମିମି ବର୍ଷା ହୋଇଛି।

କୋରାପୁଟ ଜିଲ୍ଲାପାଳ ଅବଦାଲ ଏମ. ଅଖତର କହିଛନ୍ତି ଯେ, ଗତକା‌ଲି ରାତି ଗୋଟାଏ ପରେ ବତ୍ୟା ଗୁଲାବ ପଟାଙ୍ଗି ବ୍ଲକ୍‌ରେ କ୍ଷୟକ୍ଷତି ଘଟାଇଛି। ତଥାପି ବାତ୍ୟାର ମୁକାବିଲା ସଫଳତାର ସହ କରାଯାଇଛି। ଭୂ-ସ୍ଖଳନ ଆଶଙ୍କା କରି ଜିଲ୍ଲାର ୭୮୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତେଣୁ ଗୋଟିଏ ବି ଜୀବନହାନି ହୋଇନାହିଁ। କେବଳ ୨୬ ନମ୍ବର ଜାତୀୟ ରାଜପଥରେ ବ୍ୟାପକ କ୍ଷତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍‌ ନିୟୋଜିତ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

The post ଗୁଲାବ ପ୍ରଭାବରେ ବାଦଲ ଫଟା ବର୍ଷା: ୬ଟି ସ୍ଥାନରେ ଭୂ-ସ୍ଖଳନ first appeared on Sambad.

from ଜିଲ୍ଲା | Sambad https://ift.tt/2XW0miH