କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସୁପୁତ୍ର ଥିଲେ ଅରିନ୍ଦମ। ତାଙ୍କ ମୃତ୍ୟୁରେ ସମଗ୍ର କେନ୍ଦୁଝର ସ୍ତବ୍ଧ ବୋଲି ଆଜି ଜିଲ୍ଲା ପ୍ରେସ କ୍ଲବ୍‌ ପରିସରରେ ଆୟାଜିତ ଏକ ଶୋକସଭାରେ ମତ ପ୍ରକାଶ ପାଇଛି। ‌ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଏକାଠି ହୋଇଥିଲେ। ଜିଲ୍ଲା ପ୍ରେସ କ୍ଲବ୍‌ ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ସାମ୍ବାଦିକ, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ଛାତ୍ର ସଂସଦ ସଭାପତି ଆଲୋକ ମିଶ୍ର, ବିରଜା ମିଶ୍ର, ବରଦା ପ୍ରସନ୍ନ ଦାସ, ଦିଲୀପ କୁମାର ସାହୁ, ସିଟିଜି ଅଧ୍ୟକ୍ଷ ରାଜେନ୍ଦ୍ର ପଲେଇ, ଓଟିଭି ପ୍ରତିନିଧି ପ୍ରଣୟ ପାଣି, ଦେବାଶିଷ ମିଶ୍ର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପ୍ରେସ କ୍ଲବ୍‌ର କାର୍ଯ୍ୟକାରୀ ସଭାପତି ଦୀପକ ମିଶ୍ର, ସଂପାଦକ ଜିତେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ରାଜନଗର ନିକଟ ରାଇକଳାଠାରେ ଅରିନ୍ଦମଙ୍କ ଘର। ତାଙ୍କ ବାପା ଯୁଗଳକିଶୋର ଦାସ ଦୁର୍ଘଟଣାରେ ପୂର୍ବରୁ ପ୍ରାଣ ହରାଇଥିଲେ। ଅରିନ୍ଦମ କେନ୍ଦୁଝର ଡିଏନ୍ ହାଇସ୍କୁଲ, ଧରଣୀଧର ମହାବିଦ୍ୟାଳୟରେ ପାଠ ପଢ଼ିବା ସହ ଛାତ୍ର ସଂସଦର ସଭାପତି ମଧ୍ୟ ଥିଲେ।

The post କେନ୍ଦୁଝରର ସୁପୁତ୍ର ଥିଲେ ‘ଅରିନ୍ଦମ’ first appeared on Sambad.

from ଜିଲ୍ଲା | Sambad https://ift.tt/2Zl5nlG