ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ଖଣିଜ ସଂପଦ ଉପରେ ଆନ୍ଧ୍ର ଏବଂ ତେଲେଙ୍ଗାନା ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି। ମୋଟୁ ତହସିଲର କୁନାଲପାଲି ଗ୍ରାମରେ ମୂଲ୍ୟବାନ ପଥର କ୍ବାଟର୍ସ ରହିଥିବା ନେଇ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଅଂଚଳର କିଛି ପଥର ମାଫିଆ ଜାଣିବା ପରେ ଗତ ଚାରିମାସ ତଳେ ଏଠାକୁ ଆସି କୁନାଲପାଲୀ ଗ୍ରାମର ଲୋକଙ୍କୁ ଭୁତାଇ ପଥର ଚୋରା ଚାଲାଣ କରିବାରେ ସଫଳ ହୋଇଥିଲେ।

ତେବେ ଏହି ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦେଶକ୍ରମେ ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ପଥର ଖନନ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ସ୍ଥାନକୁ ସିଲ କରିବା ସହ ଲାଲ ପତାକା ମାରି ଏଠାକୁ କେହି ମଧ୍ୟ ପଶି ପାରିବେ ନାହିଁ ବୋଲି କୁହାଯାଇଛି। ତେବେ କିପରି ଜଣେ ହାଇଦ୍ରାବାଦରୁ ଆସି ମୋଟୁ ତହସିଲ ମଧ୍ୟରେ ପଶି ମୂଲ୍ୟବାନ ପଥର ନେବାକୁ ସାହାସ କଲା ଅନ୍ତତଃ କେହି ଜାଣିପାରିଲେ ନାହିଁ। ଏହି ଘଟଣାରେ ମୋଟୁ ତହସିଲର ସମସ୍ତ କର୍ମଚାରୀଙ୍କ ଉପରେ ସଂଦେହ ସୃଷ୍ଟି କରାଯାଉଛି। ଭୁବନପାଲୀ ପଞ୍ଚାୟତର ରାଜସ୍ବ ନିରୀକ୍ଷକ କିପରି ଜାଣିପାରିଲେ ନାହିଁ ଯେ ଜଣେ ପଥର ମାଫିଆ ଏଠାକୁ ଆସି ପଥର ଖନନ କରି ଏଠାରୁ କୋଟିକୋଟି ଟଂକାର ପଥର ହାଇଦ୍ରାବଦକୁ ଚାଲାଣ କରୁଛନ୍ତି। ଏହାର ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ସରକାର ଏଥିପାଇଁ କେତେ ରାଜସ୍ବ ହରାଉଛନ୍ତି ତାହା ଆକଳନ କରିବା ସମୟ ଆସିଛି ବୋଲି କୁହାଯାଇଛି। ଏଭଳି ଖଣିଜ ପଦାର୍ଥ ମାଲକାନଗିରିର ମୋଟୁ ତହସିଲରେ ବହୁ ସ୍ଥାନରେ ରହିଛି।

Sambad

ଯାହାର ମୂଲ୍ୟ କୋଟିକୋଟି ଟଂକା। ବିନା ଟେଣ୍ଡରରେ କିପରି ମୂଲ୍ୟବାନ ପଥର ଖନନ କରି ନେଇ ଚାଲିଛି ତାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାପାଳ ବିଶାଲ ସିଂହ ଏ ସଂପର୍କରେ ଅବଗତ ହେବା ପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତୁରନ୍ତ ତଦନ୍ତର ଆଦେଶ ଦେଇଥିଲେ। ଅନ୍ୟ ଦିଗରେ ପ୍ରଶାସନ ଜିଲ୍ଲାରେ ଖଣିଜ ପଥର ରହିଥିବା ନେଇ ଅବଗତ ରହିଥିବା ବେଳେ ଏହା ପୂର୍ବରୁ ମାଇନିଂ ଟିମକୁ ଡାକି ଏହି ପଥର ଗୁଡିକର ଯାଞ୍ଚ ମଧ୍ୟ କରିଛନ୍ତି। ଏହା କେତେ ଲାଭ ଦାୟକ ସନେଇ ପରୀକ୍ଷା ଚାଲିଥିବା ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ କହିଥିଲେ। ଗ୍ରାମବାସୀଙ୍କୁ ମଦ, ମାଂସ ଏବଂ କିଛି ଟଂକାର ପ୍ରଲୋଭନ ଦେଖାଇ ମାଫିଆ ମାନେ ଏଠାରେ ଗତ ତିନିମାସ ଧରି ପଥର ଖନନ କରିବା ସହ ଚାଲାଣ ଆରମ୍ଭ କରି ଦେଇଥିଲେ। ‘ସମ୍ବାଦ’ରେ ଏହି ଖବର ଆଜି ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ସେହି ଅଂଚଳକୁ ସିଲ କରିବା ସହ କୌଣସି ବ୍ୟକ୍ତି ସେହି ଅଂଚଳକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି।

The post ମୂଲ୍ୟବାନ ପଥର ଲୁଟ ଘଟଣା: ପଥର ଖନନ ସ୍ଥାନରେ ପହଞ୍ଚିଲା ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/3kRyTXv